ଇନ୍ଦୋର,୨୫ା୧୦: ଲେଗ୍ ସ୍ପିନର ଆଲାନା କିଙ୍ଗ୍ଙ୍କ ରେକର୍ଡ ୭ ଉଇକେଟ ସଫଳତା ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍କୁ ଅଷ୍ଟ୍ରେଲିଆ ଅତି ସହଜରେ ୩୩.୧ ଓଭର ପୂର୍ବରୁ ୭ ଉଇକେଟରେ ଜିତି ନେଇଛି। ମହିଳା ଦିନିକିଆ ବିଶ୍ୱକପ୍ ଇତିହାସରେ ଏହା ଅଷ୍ଟ୍ରେଲିଆ ଲାଗି କ୍ରମାଗତ ୧୫ତମ ବିଜୟ। ଏଥିପୂର୍ବରୁ ୧୯୯୭ ଓ ୨୦୦୦ ବିଶ୍ୱକପ୍ ସଂସ୍କରଣରେ ଅଷ୍ଟ୍ରେଲିଆ ମହିଳା ଦଳ ଲଗାତର ୧୫ ମ୍ୟାଚ୍ ଜିତିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ମାତ୍ର ୯୮ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୧୬.୫ ଓଭରରେ ୩ ଉଇକେଟ ହରାଇ ହାସଲ କରି ନେଇଥିଲା।
ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆଲାନାଙ୍କ ସ୍ପିନ ଜାଲରେ ଛନ୍ଦି ହୋଇ ୨୪ ଓଭରରେ ୯୭ ରନ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପାଇଁ ଅଧିନାୟିକା ଲୌରା ଓ୍ବଲଭାର୍ଟ (୩୧), ସିନାଲୋ ଜାଫ୍ତା (୨୯) ଓ ନାଦିନେ ଡି କ୍ଲର୍କ (୧୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ଅଷ୍ଟ୍ରେଲିଆ ପାଇଁ ଆଲାନା ୭ ଓଭରରେ ୧୮ ରନ ଦେଇ ସର୍ବାଧିକ ୭ ଉଇକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୬.୫ ଓଭରରେ ୩ ଉଇକେଟ ହରାଇ ୯୮ ରନ କରି ମ୍ୟାଚ୍ ଜିତି ନେଇଥିଲା। ଦଳ ପାଇଁ ବେଥ ମୁନି ୪୨ ଓ ଜର୍ଜିଆ ଭଲ ୩୮ ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ବିଜୟ ଯୋଗୁ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍ରେ ଅପରାଜେୟ ଭାବେ ଲିଗ୍ ପର୍ଯ୍ୟାୟ ଶେଷ କରିଛି। ଦଳ ଏବେ ୭ ମ୍ୟାଚ୍ରେ ୬ ବିଜୟ, ୧ ଡ୍ର’ ଓ ୧୩ ପଏଣ୍ଟ ସହ ଶୀର୍ଷରେ ରହିଛି। ଏଥିଯୋଗୁ ଦଳ ତା’ର ସେମିଫାଇନାଲ ମ୍ୟାଚ୍ରେ ଚତୁର୍ଥ ସ୍ଥାନରେ ଥିବା ଭାରତକୁ ଭେଟିବ। ଏହି ମ୍ୟାଚ୍ ୩୦ ତାରିଖରେ ଖେଳାଯିବ।

