ପୁରୁଷଙ୍କୁ ନେଇ ମହିଳା କମିଟି

କୁଏତ୍‌ ସିଟି,୨୬ା୧୨: କୁଏତ୍‌ର ସଂସଦୀୟ ମହିଳା କମିଟିର ସବୁ ସଦସ୍ୟ ହେଉଛନ୍ତି ପୁରୁଷ। ଉକ୍ତ କମିଟିରେ କେବଳ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ମଧ୍ୟପ୍ରାଚ୍ୟର ଏହି ରାଷ୍ଟ୍ରରେ ଲିଙ୍ଗଗତ ଅସମାନତାକୁ ନେଇ ଅନ୍‌ଲାଇନ୍‌ରେ କଡ଼ା ସମାଲୋଚନା କରାଯାଉଛି। ଓମେନ୍ସ କମିଟି ଅଫ୍‌ କୁଏତ୍‌ରେ ବୁଧବାର ୩ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇଥିଲା। ନବନିଯୁକ୍ତ ଟ୍ରଷ୍ଟିମାନେ ହେଲେ ସାଲେହ ଥେୟାବ ଅଲ୍‌-ମୁଟାଇରି, ଓସାମା ଅହମ୍ମଦ ଅଲ୍‌-ମୁନାଓ୍ବେର ଏବଂ ଓସାମା ଏସା ଅଲ୍‌-ଶାହିନ। କୁଏତ୍‌ର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଅଧିକୃତ ସରକାରୀ ଇ-ପେପର୍‌ ‘ଦି କାଉନ୍‌ସିଲ’ ଏମାନଙ୍କ ନିଯୁକ୍ତି ସମ୍ପର୍କରେ ଟୁଇଟ୍‌ କରିବା ପରେ ଟ୍ରୋଲ୍‌ ଆରମ୍ଭ ହୋଇଯାଇଛି।
ଆସେମ୍ବ୍ଲି ନାମରେ ପରିଚିତ କୁଏତ୍‌ ପାର୍ଲାମେଣ୍ଟର ମୋଟ ସଦସ୍ୟ ସଂଖ୍ୟା ୬୫। ସେମାନଙ୍କ ମଧ୍ୟରୁ ୫୦ ପ୍ରତିନିଧି ୪ ବର୍ଷ ପାଇଁ ନିର୍ବାଚିତ ହୋଇଯାଇଥାନ୍ତି। ଅବଶିଷ୍ଟ ୧୫ ଜଣଙ୍କୁ ନିଯୁକ୍ତି ଦିଆଯାଇଥାଏ। ଏହାକୁ ଅର୍ଦ୍ଧଗଣତାନ୍ତ୍ରିକ ବ୍ୟବସ୍ଥା କୁହାଯାଏ। ଦେଶରେ କୌଣସି ରାଜନୈତିକ ଦଳ ନାହିଁ। ତେଣୁ ପ୍ରାର୍ଥୀମାନେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥାନ୍ତି। ନ୍ୟାଶନାଲ ଆସେମ୍ବ୍ଲି ନିର୍ବାଚନ ଶେଷ ହେବା ପରେ ସଦସ୍ୟମାନେ ପାର୍ଲାମେଣ୍ଟାରି କମିଟି ଗଠନ କରିଥାନ୍ତି। ଚଳିତବର୍ଷ ଡିସେମ୍ବରରେ ଏହି ନିର୍ବାଚନ ଶେଷ ହେବା ପରେ ଓମେନ୍ସ ପାର୍ଲାମେଣ୍ଟାରି କମିଟି ଗଠନ କରାଯାଇଥିଲା। କିନ୍ତୁ ସେଥିରେ କେହି ଜଣେ ହେଲେ ମହିଳାଙ୍କୁ ସାମିଲ କରାଯାଇ ନ ଥିବାରୁ ସମସ୍ତେ ବିସ୍ମିତ ହୋଇଯାଇଛନ୍ତି। ମହିଳାଙ୍କୁ ସ୍ଥାନ ନ ମିଳିବାର କାରଣ ହେଉଛି ଏଥର ନିର୍ବାଚନରେ ୨୯ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଜିତିନାହାନ୍ତି। ତେଣୁ ଉକ୍ତ କମିଟିରେ କେବଳ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଛି।

Share