ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ଥିବା ‘ଜାଗୃତି’ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କମଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସବ୍-ଇନ୍ସପେକ୍ଟର ବାସନ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ‘ଜାଗୃତି’ର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସିର୍କାବର୍ଗ ପଞ୍ଚାୟତର ନାଏବ ସରପଞ୍ଚ ମାନିନୀ ପ୍ରଧାନ ଏବଂ ନାରୀ ମହାସଂଘର ସଭାନେତ୍ରୀ ଲୁସିମା ପ୍ରଧାନ ପ୍ରମୁଖ ଯୋଗଦେଇ ମହିଳା ଓ ବାଳିକାଙ୍କ ସୁରକ୍ଷା, ସମ୍ମାନ, ଅଧିକାର, ଲିଙ୍ଗଗତ ସମାନତା ଏବଂ ହିଂସା ପ୍ରତିରୋଧ ଉପରେ ନିଜର ମତବ୍ୟକ୍ତ କରିଥିଲେ।
ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଘରୋଇ ହିଂସା, ଯୌତୁକ ନିର୍ଯାତନା, ଯୌନ ଉତ୍ପୀଡ଼ନ ଏବଂ ସାଇବର ଅପରାଧ ଭଳି ସମସ୍ୟା ବିରୋଧରେ ମହିଳାମାନେ ନିର୍ଭୟରେ ସ୍ବର ଉଠାଇବା ସହ ନୀରବ ନ ରହି ପୋଲିସର ସହାୟତା ନେବାକୁ ଆହ୍ବାନ ଦେଇଥିଲେ।
ସେହିପରି ମୁଖ୍ୟ ବକ୍ତା କୈଳାସ ଚନ୍ଦ୍ର ଦଣ୍ଡପାଟ ମହିଳାମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଏକତା ବଜାୟ ରଖିବା, ପ୍ରତ୍ୟେକ ଏସ୍ଏଚ୍ଜି ବୈଠକରେ ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ହିଂସା ବିଷୟରେ ଆଲୋଚନା କରିବା ଏବଂ ପ୍ରତ୍ୟେକ ପଞ୍ଚାୟତରେ କମଳା ଦିବସ ପାଳନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।