ପାଣି ପାଇଁ ଡହଳବିକଳ, ଗରା ଧରି ରାସ୍ତାରେ ମହିଳା

ଜଳେଶ୍ୱର,୨୧।୪(ଡି.ଏନ.ଏ.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପିଇବା ପାଣି ସମସ୍ୟା ଉକତ୍ଟ ହେବାରେ ଲାଗିଛି। ଘନ ଘନ ବିଦ୍ୟୁତକାଟ୍‌ ଯୋଗୁ ପାଇପ୍‌ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଜଳେଶ୍ୱର ବ୍ଲକ କଳମା ପଞ୍ଚାୟତ ପ୍ରସାଦଶୋଳ ଗ୍ରାମର ଆଦିବାସୀ ସାହିରେ ପିଇବା ପାଣି ସମସ୍ୟା ଯୋଗୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ଲାଗି ଗ୍ରାମବାସୀ ୨୦୧୫ରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ଫଳ ଶୂନ। ଏହାର ପ୍ରତିବାଦ କରି ବୁଧବାର ରେଣ୍ଟା ହେମ୍ବ୍ରମଙ୍କ ନେତୃତ୍ୱରେ ଆଦିବାସୀ ସାହିର ମହିଳାମାନେ ରାସ୍ତାରେ ଗରା ଧରି ବସି ରହିଥିଲେ। ସରପଞ୍ଚ ସୁବିନିକା ଦତ୍ତ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବା ପରେ ରାସ୍ତାରୋକୋ ହଟିଥିଲା ା
ଗାଁରେ ସବୁ ଗାଡିଆ, ପୋଖରୀ ଶୁଖିଯାଇଥିବାରୁ ଏଭଳି ସମସ୍ୟା ଉପୁଜିଛି। ବସୁଧା ଯୋଜନାରେ ୨ଟି ପାଣିଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଗୋଟିଏ କାର୍ଯ୍ୟକ୍ଷମ ହୋଇଛି ା ମାତ୍ର ସେଠାରୁ ଖୁଣ୍ଟା ଓ କଳମା ଗାଁକୁ ପାଣି ଯୋଗାଣ ହେଉଥିଲେ ମଧ୍ୟ ପ୍ରସାଦଶୋଳ ଆଦିବାସୀ ସାହିକୁ ପାଣି ଯୋଗାଣ ହେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।