Categories: ଜାତୀୟ

ମହିଳା ୨୨ରୁ ୩୦ ବର୍ଷ ମଧ୍ୟରେ ମା’ ହେବା ଆବଶ୍ୟକ: ହିମନ୍ତ ଶର୍ମା…

ଗୁଆହାଟୀ,୨୮।୧ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଏକ ବିବୃତ୍ତିରେ କହିଛନ୍ତି ଯେ ମହିଳାମାନେ ଠିକ ସମୟରେ ମା’ ହେବା ଉଚିତ। ନଚେତ ସେମାନେ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏକ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଳିକାମାନଙ୍କର ଶୀଘ୍ର ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ତାଙ୍କ ସରକାର ପ୍ରତିବଦ୍ଧ। ରାଜ୍ୟରେ ବାଲ୍ୟ ବିବାହକୁ ରୋକିବା ପାଇଁ ଆସାମ ସରକାର ପୋକ୍ସା ଆକ୍ଟ ଆଣିବାକୁ ପ୍ରସ୍ତୁତ ହେଉଥିବା ସ୍ପଷ୍ଟ କରିଛନ୍ତି।

ଶର୍ମା କହିଛନ୍ତି ଯେ ୧୪ ବର୍ଷରୁ କମ ନାବାଳିକାମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଅପରାଧ ଅଟେ। ଏଭଳି ପରିସ୍ଥିତିରେ ଆସନ୍ତା ପାଞ୍ଚରୁ ଛଅ ମାସ ମଧ୍ୟରେ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇପାରେ। ଜଣେ ମହିଳାଙ୍କ ପାଇଁ ବିବାହର ଆଇନଗତ ବୟସ ୧୮ ବର୍ଷ ଏବଂ ଯେଉଁମାନେ ନାବାଳିକାମାନଙ୍କୁ ବିବାହ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ଏହି ଅପରାଧରେ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଛି। ମାତୃତ୍ୱ ବିଷୟରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାମାନେ ମା’ ହେବା ପାଇଁ ଅଧିକ ସମୟ ଅପେକ୍ଷା କରିବା ଉଚିତ ନୁହେଁ କାରଣ ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିପାରେ। ମା’ ହେବାର ସଠିକ ବୟସ ୨୨ ବର୍ଷରୁ ୩୦ବର୍ଷ ମଧ୍ୟରେ। ଭଗବାନ ଆମ ଶରୀରକୁ ଏପରି ଭାବରେ ତିଆରି କରିଛନ୍ତି ଯେ ସବୁକିଛି ପାଇଁ ସମୟ ଅଛି।

Share