ମୋ ଝିଅକୁ ତଣ୍ଟିଚିପି ମାରିଦେଲେ

ଦିଗପହଣ୍ଡି,୧୩ା୯(ଡି.ଏନ.ଏ.): ସ୍ତ୍ରୀ ହତ୍ୟା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଲକ୍ଷ୍ମଣ ନାଇକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଏ ନେଇ ପୋଲିସ ଏକ ମାମଲା (ନଂ ୨୩୩/୨୧ ) ରୁଜୁ କରିଛି।

ସୂଚନା ଅନୁସାରେ, ଲକ୍ଷ୍ମଣଙ୍କ ସ୍ତ୍ରୀ ଜାନକୀ ନାଇକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଲକ୍ଷ୍ମଣଙ୍କ ଶାଶୁ ତଥା ଜାନକୀଙ୍କ ମା’ ବବି ନାୟକ ଥାନାରେ ପହଞ୍ଚତ୍ ମୋ ଝିଅକୁ ଶାଶୁ ଘର ଲୋକେ ହତ୍ୟା କରିଥିବା ଏତଲା ଦେଇଥିଲେ।

ପୋଲିସ ସୂଚନା ମୁତାବକ, ଗଞ୍ଜାମ ଜିଲା ବଡଗଡ ଥାନା ବାହାଁରପୁର ଗ୍ରାମର ଜୁରିଆ ନାଇକଙ୍କ ଝିଅ ଜାନକୀ ୮ ବର୍ଷ ତଳେ ଦିଗପହଣ୍ଡି ଥାନା ଚଷାନିମଖଣ୍ଡି ଗ୍ରାମର ବାସୁ ନାଇକଙ୍କ ପୁଅ ଲକ୍ଷ୍ମଣଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସ୍ବାମୀ ଲକ୍ଷ୍ମଣ ଜାନକୀଙ୍କୁ ଅଧିକ ଯୌତୁକ ଦାବିରେ ନିର୍ଯାତନା ଦେଉଥିଲେ । ଘଟଣା ଦିନ ରାତିରେ ତାଙ୍କୁ ସ୍ବାମୀ ତଣ୍ଟି ଚିପି ହତ୍ୟା କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଥିଲା। ଅପରପକ୍ଷରେ ଜାନକୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ ବୋଲି ସ୍ବାମୀ ଲକ୍ଷ୍ମଣ ପୋଲିସକୁ କହିଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।