ନ୍ୟାୟ ବ୍ୟବସ୍ଥାରେ ମହିଳା

ଭାରତରେ ବର୍ତ୍ତମାନ ନ୍ୟାୟିକ ଢାଞ୍ଚା ପୁରୁଷପ୍ରଧାନ ଓ ସାମନ୍ତବାଦୀ ହୋଇଥିବାରୁ ସେଥିରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱର ସୁଯୋଗ ମିଳୁନାହିଁ ବୋଲି ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶଓ୍ବନ୍ତ ଚନ୍ଦ୍ରଚୂଡ଼ କହିଛନ୍ତି। ଏହି ବୃତ୍ତିରେ ଅଧିକରୁ ଅଧିକ ମହିଳା ଓ ସମାଜର ଅବହେଳିତ ବର୍ଗଙ୍କୁ ପ୍ରବେଶ ସୁଯୋଗ ଦେବା ସକାଶେ ଗଣତାନ୍ତ୍ରିକ ଓ ମେଧାଭିତ୍ତିକ ଚୟନ ବ୍ୟବସ୍ଥା କରାଯିବା ଉପରେ ସିଜେଆଇ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ପୂର୍ବରୁ ବହୁ ବିଦ୍ୱାନ୍‌ ମହିଳା ସଶକ୍ତୀକରଣ, ସେମାନଙ୍କ ଉତ୍ଥାନ ଓ ଅର୍ଥନୀତିରେ ଅଧିକ ଯୋଗଦାନ ଉପରେ ପ୍ରାଧାନ୍ୟ ଦେଇଛନ୍ତିି। ଚାକିରି କିମ୍ବା ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ନିମନ୍ତେ ସଂରକ୍ଷଣ ଉପରେ ଏମାନେ ଜୋର ଦେଇଆସିଛନ୍ତି। ହେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ ଗଣତାନ୍ତ୍ରିକ ଓ ମେଧାଭିତ୍ତିକ ଚୟନ ବ୍ୟବସ୍ଥା ଲାଗି ଆହ୍ବାନ ଦେବା ଅଧିକ ଯୁକ୍ତିଯୁକ୍ତ ମନେହେଉଛି। ତେବେ କମ୍‌ ମେଧା ଥିବା ମହିଳାଙ୍କୁ ନ୍ୟାୟପାଳିକା ଭଳି ସଂସ୍ଥାରେ ନିଯୁକ୍ତି ଦିଆଗଲେ ନ୍ୟାୟିକ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ ନାହିଁ ବୋଲି ମଧ୍ୟ କୁହାଯାଇପାରେ। ଅବଶ୍ୟ ଦେଖିଲେ ସବୁ ମେଧାସମ୍ପନ୍ନ ବିଚାରପତି ସର୍ବଦା ଠିକ୍‌ ନିଷ୍ପତ୍ତି ନେଇ ନ ଥାଆନ୍ତି ଓ ସ୍ଥଳବିଶେଷରେ ଅନେକେ ପକ୍ଷପାତିତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଥାଏ। ତେଣୁ ମହିଳାଙ୍କ ମେଧାକୁ ଗୁରୁତ୍ୱ ଦିଆଯିବା ସହିତ ସେମାନେ କିଭଳି ଏହି ବୃତ୍ତି ପ୍ରତି ଆକର୍ଷିତ ହୋଇପାରିବେ ସେଥିଲାଗି ଅନୁକୂଳ ବାତାବରଣ ସୃଷ୍ଟି ହେବା ଦରକାର। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ନ୍ୟାୟପାଳିକାକୁ ପୁରୁଷପ୍ରାଧାନ୍ୟ ଓ ସାମନ୍ତବାଦୀ ବୋଲି ଯାହା ଅଭିହିତ କରିଛନ୍ତି, ତାହା ଅନେକ କ୍ଷେତ୍ରରୁ ସ୍ପଷ୍ଟ ଜଣାପଡ଼ିଥାଏ। ଏଭଳି ଆହ୍ବାନ ଦେଉଥିବା ଚନ୍ଦ୍ରଚୂଡ଼ଙ୍କ ଇତିହାସ ଯେତେବେଳେ ଲେଖାଯିବ ସେତେବେଳେ ଆଧାର ସଂକ୍ରାନ୍ତରେ ସେ ଦେଇଥିବା ଐତିହାସିକ ମତ ନିଶ୍ଚିତ ଭାବେ ସ୍ଥାନ ପାଇବ। ଅନ୍ୟପକ୍ଷରେ ଟେଲିଭିଜନ ଉପସ୍ଥାପକ ତଥା ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ କେସ୍‌ରେ ଯେଭଳି ଭାବେ ତାଙ୍କୁ ସେ ତତ୍‌କ୍ଷଣାତ୍‌ ଜାମିନ ଦେଇଥିଲେ, ସେହି କଥା ମଧ୍ୟ ଇତିହାସରେ ଲିପିବଦ୍ଧ ହୋଇରହିବ। ସିଜେଆଇ ପଦବୀ ପାଇବା ପରେ ଯଦି ଅର୍ଣ୍ଣବଙ୍କ ମାମଲାର ବିଚାର ଭଳି ସବୁ ସାଧାରଣ ଭାରତୀୟଙ୍କ କେସ୍‌ରେ ଅନୁରୂପ ଭାବେ ୪୮ ଘଣ୍ଟା ଭିତରେ ରାୟ ମିଳିପାରନ୍ତା, ତେବେ ଜନସାଧାରଣଙ୍କ ବିଶ୍ୱାସ ହୁଅନ୍ତା ଯେ ଚନ୍ଦ୍ରଚୂଡ଼ ଜଣେ ନିରପେକ୍ଷ ବିଚାରପତି ଓ ତାଙ୍କ ଉପରେ ରାଜନୈତିକ ଚାପ ପଡ଼ିବା ଅସମ୍ଭବ। ଯେପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଶୀଘ୍ର ନ୍ୟାୟ ମିଳିବାର ସମ୍ଭାବନା ରହୁନାହିଁ ଏବଂ ସାଧାରଣ ନାଗରିକଙ୍କ ପାଇଁ ଦଶନ୍ଧି ଉପରେ ସମୟ ଲାଗିଯାଉଛି ଓ ସ୍ଥଳବିଶେଷରେ ଅନେକଙ୍କର ମୃତ୍ୟୁ ପୂର୍ବରୁ ମଧ୍ୟ ନ୍ୟାୟ ମିଳିପାରୁ ନାହିଁ; ସେଭଳି କ୍ଷେତ୍ରରେ କୌଣସି ବିଚାରପତିଙ୍କ ବଡ଼ବଡ଼ କଥା କହିବାର ଅଧିକାର ନାହିଁ ବୋଲି ଚିନ୍ତା କରାଯାଇପାରେ।
ନ୍ୟାୟପାଳିକାରେ ମହିଳା ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇବା ଧାରାରେ ଅବଶ୍ୟ ଧୀରେ ଧୀରେ ପରିବର୍ତ୍ତନ ଆସୁଥିବା ଲକ୍ଷ୍ୟ କରାଯାଉଛି। ନିକଟରେ ଓଡ଼ିଶା ଜୁଡିସିଆଲ ସର୍ଭିସ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ୫୦ ଜଣ କୃତକାର୍ଯ୍ୟଙ୍କ ମଧ୍ୟରୁ ୨୮ ଛାତ୍ରୀ ଥିବା ବେଳେ ୨୨ ଜଣ ଛାତ୍ର ରହିଛନ୍ତି। ଏଥିସହିତ ପ୍ରଥମ ତିନୋଟି ସ୍ଥାନରେ ଝିଅମାନେ ସ୍ଥାନ ପାଇଥିବା ବେଳେ ଶ୍ରେଷ୍ଠ ୧୦ରେ ୬ ଜଣ ମହିଳା ଅଛନ୍ତି। ନିଶ୍ଚିତ ଭାବେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଙ୍କ ପାଇଁ ଏହା ଉତ୍ସାହଜନକ ହୋଇପାରିଛି। କିନ୍ତୁ ସାରା ଦେଶର ଚିତ୍ର ଦେଖିଲେ ନ୍ୟାୟପାଳିକାରେ ମହିଳା ବିଚାରପତି ଓ ଅଧିକାରୀଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ରହିଛି। ଏକ ହିସାବରୁ ଜଣାପଡ଼ିଛି ଯେ ଭାରତର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ହାରାହାରି ୧୨ ପ୍ରତିଶତ ମହିଳା ବିଚାରପତି ଅଛନ୍ତି। ଅନୁରୂପ ଭାବେ ମହିଳା ଆଇନଜୀବୀଙ୍କ କଥା ଦେଖିଲେ ଦେଶର ପଞ୍ଜୀକୃତ ୧୭ ଲକ୍ଷ ଓକିଲଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ରହିଛି ମାତ୍ର ୧୫ ପ୍ରତିଶତ। ଆଜିର ସ୍ଥିତିରେ ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାରର ପରିସଂଖ୍ୟାନକୁ ଦେଖିଲେ ମହିଳା ବିଚାରପତିଙ୍କ ସଂଖ୍ୟା ଆହୁରି ବଢ଼ାଇବା ନିତାନ୍ତ ଆବଶ୍ୟକ। ଅବଶ୍ୟ ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ ଅଧିକାଂଶ ପରିବାରରେ ମହିଳାଙ୍କ ପ୍ରତି ଅତ୍ୟାଚାର ମହିଳାଙ୍କ ଦ୍ୱାରା ହୋଇଥାଏ। ଏଠାରେ ମନେପଡ଼େ ୯୦ ଦଶକର ଓଡ଼ିଶା ସରକାରଙ୍କ ସ୍ଲୋଗାନ-‘ଶାଶୁ ହାତକଡ଼ି, ନଣନ୍ଦ ବେଡ଼ି’। ସବୁ ପରିବାରରେ ମହିଳାମାନେ ଯଦି ଅନ୍ୟ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ବିରୋଧ କରନ୍ତେ, ତେବେ ବଧୂହତ୍ୟା ଓ ଅନର କିଲିଂ ଭଳି ମାମଲା କୋର୍ଟ କଚେରି ପର୍ଯ୍ୟନ୍ତ ଯାଆନ୍ତା ନାହିଁ। ସେହି ଧାରାରେ ଦେଖିଲେ ମହିଳା ବିଚାରପତିମାନେ ନିଶ୍ଚିତ ଭାବେ ନାରୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ମଲମ ହୋଇପାରିବେ, ମାତ୍ର ସବୁ କ୍ଷେତ୍ରରେ ବିଶ୍ୱାସଯୋଗ୍ୟ ହେଉନାହିଁ।
ଦେଖାଯାଉଛି କୋର୍ଟଗୁଡ଼ିକରେ ମହିଳାମାନେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତି। ଅଧିକାଂଶ ବୟସ୍କ ପୁରୁଷ ଓକିଲଙ୍କର ମହିଳା ଆଇନଜୀବୀଙ୍କ ପ୍ରତି ସମ୍ମାନ ରହୁନାହିଁ। ସାଧାରଣତଃ କୋର୍ଟ ରୁମ୍‌ଗୁଡ଼ିକ ଭିଡ଼ ରହିବା ଓ ମହିଳାଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁ ଏହି ବୃତ୍ତି ପ୍ରତି ସେମାନଙ୍କ ଆକର୍ଷଣ ରହୁ ନ ଥିବା ଆଲୋଚନା ହେଉଛି। ନିଯୁକ୍ତି ପଦ୍ଧତି ଯୋଗୁ ନ୍ୟାୟପାଳିକାର ପ୍ରାରମ୍ଭିକ ଅବସ୍ଥାରେ ମହିଳା ବିଚାରପତିଙ୍କ ଯୋଗଦାନ ଭଲ ରହୁଛି। କିନ୍ତୁ ଉଚ୍ଚ ନ୍ୟାୟପାଳିକାରେ କଲେଜିୟମ୍‌ ବ୍ୟବସ୍ଥାରେ ଚୟନ ପ୍ରକ୍ରିୟା ଅସ୍ବଚ୍ଛ ରହୁଥିବାରୁ ମହିଳାମାନଙ୍କୁ ସେହି ଅନୁଯାୟୀ ପଦୋନ୍ନତି ମିଳିପାରୁ ନ ଥିବା ବାରମ୍ବାର ଅଭିଯୋଗ ହୋଇଥାଏ।
ଏଠାରେ ମନେପଡ଼େ ବିଚାରପତି ପୁଷ୍ପା ଗନେଡିଓ୍ବାଲା ୨୦୨୧ ଜାନୁୟାରୀ ୨୫ରେ ଏକ ମାମଲା ଉପରେ ଦେଇଥିବା ରାୟ। ‘ପ୍ରେସିଂ ବ୍ରେଷ୍ଟସ୍‌ ଓ୍ବିଦାଉଟ୍‌ ସ୍କିନ୍‌ ଟୁ ସ୍କିନ୍‌ କନ୍‌ଟାକ୍ଟ ନଟ୍‌ ‘ସେକ୍ସୁଆଲ୍‌ ଆସଲ୍ଟ’ ଅଣ୍ଡର ପୋକ୍‌ସୋ, ରୁଲ୍ସ ବମ୍ବେ ହାଇକୋର୍ଟ। ତାଙ୍କର ସେହି ମତକୁ ସେତେବେଳେ ସବୁଆଡ଼ୁ ସମାଲୋଚନା କରାଯାଇଥିଲା। ଉକ୍ତ ରାୟ ଆଧାରରେ ଦେଖିଲେ ସାଧାରଣରେ ଭରତୀୟ ମହିଳାଙ୍କ ମାନସିକତାରେ ପେଟ୍ରିଆର୍‌କି ବା ପୁରୁଷପ୍ରାଧାନ୍ୟ ଚିନ୍ତାଧାରା ପ୍ରବଳମାତ୍ରାରେ ବସାବାନ୍ଧି ରହିଛି। ଅତଏବ କେବଳ ମହିଳା ବିଚାରପତିଙ୍କ ସଂଖ୍ୟା ବଢ଼ିଗଲେ ଏହାର ସମାଧାନ ଆସିପାରିବ ନାହିଁ। ଏଥିଲାଗି ପୁରୁଷ ହୁଅନ୍ତୁ ବା ମହିଳା, ପ୍ରତ୍ୟେକଙ୍କ ପୁରୁଣା ଓ ପଛୁଆ ମାନସିକତାରେ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri