ଶାରୀରିକ ସମ୍ପର୍କ ପାଇଁ ମନା କରି ପାରନ୍ତିନି ଗରିବ ଦେଶର ମହିଳା…

ଜେନେଭା,୧୫।୪: ପୃଥିବୀର ବିଭିନ୍ନ ଗରିବ ଦେଶରେ ମହିଳାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ ପାଇଁ ନିଜସ୍ବ କୌଣସି ସ୍ବାଧୀନତା ନାହିଁ। ସେମାନେ ଶାରୀରିକ ସମ୍ପର୍କକୁ ମନା କରି ପାରନ୍ତି ନାହିଁ। ଦାମ୍ପତ୍ୟ ଜୀବନରେ ସ୍ବାମୀ ତାଙ୍କୁ ନିଜର ସମ୍ପତ୍ତି ବୋଲି ଭାବିଥାନ୍ତି। ସ୍ବାମୀ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଚାହିଁଲେ ଏସବୁ ଦେଶରେ ସ୍ତ୍ରୀ ମନା କରି ପାରି ନ ଥାନ୍ତି ବୋଲି ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ୫୭ ବିକାଶଶୀଳ ଦେଶରେ ୫୫ ପ୍ରତିଶତ ମହିଳା ନିଜ ଇଛା ଅନୁସାରେ ଶାରୀରିକ ସମ୍ପର୍କ,ଗର୍ଭନିରୋଧକ ବ୍ୟବହାର ଆଦି ଚୟନ କରିପାରିଥାନ୍ତି। ଆଫ୍ରିକାରେ ମହିଳାମାନଙ୍କର ଏକ୍ଷେତ୍ରରେ ଅଧିକାର ତଥା ସ୍ବାଧୀନତା ସୀମିତ ବୋଲି ୟୁଏନ୍‌ ପପୁଲେଶନ ଫଣ୍ଡ ଦ୍ୱାରା ଜାରି ହୋଇଥିବା ‘ମାଇଁ ବଡ଼ି ଇଜ୍‌ ମାଇଁ ଓ୍ବନ୍‌’ ନାମକ ଏହି ରିପୋର୍ଟରେ ଦର୍ଶାଯାଇଛି। ଆଫ୍ରିକାର ମାଲି, ନାଇଜର ଏବଂ ସେନେଗାଲ ଆଦି ୩ ଦେଶରେ ସ୍ଥିତି ଅତି ଖରାପ ରହିଥିବା ପପୁଲେଶନ ଫଣ୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ନାଟାଲିନ୍‌ କାନେମ୍‌ ସୂଚନା ଦେଇଛନ୍ତି। ଏହି ୩ ଦେଶରେ ୧୦ ପ୍ରତିଶତ ମହିଳାଙ୍କର ଶାରୀରିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ନିଜସ୍ବ ଅଧିକାର ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଏସିଆ, ଲାଟିନ୍‌ ଆମେରିକା, କାରିବିଏନ୍‌ ଦେଶସମୁହ ଆଦିରେ ୭୬ ପ୍ରତିଶତ ମହିଳା ଶାରୀରିକ ସମ୍ପର୍କ, ଗର୍ଭନିରୋଧକ ବ୍ୟବହାର ଏବଂ ସ୍ବାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ନିଜସ୍ବ ମତକୁ ପ୍ରାଧାନ୍ୟ ଦେଇଥାନ୍ତି। ଅପରପକ୍ଷରେ ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଏସିଆରେ ଏଭଳି ମହିଳାଙ୍କ ସଂଖ୍ୟା ୫୦ ପ୍ରତିଶତରୁ କମ୍‌ ରହିଛି।

Share