ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର ନିଦ ଭାଙ୍ଗି ନ ଥିଲା। ଶେଷରେ ବାଧ୍ୟହୋଇ ଗାଁର ମହିଳାମାନେ ଏକାଠି ହୋଇ ନଦୀ କୂଳରେ ପହଞ୍ଚି ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଭାଟିକୁ ଭାଙ୍ଗି ଦେଇଛନ୍ତି। ଏପରିକି ମହିଳମାନେ ରନ୍ଧା ହୋଇଥିବା ମଦ, ପୋଚ ନଷ୍ଟ କରି ମଦ ତିଆରି ପାଇଁ ବ୍ୟବହୃତ ସାମଗ୍ରୀକୁ ଗାଁକୁ ଉଠାଇ ଆଣିଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜଲା ମୋହନା ବ୍ଲକ ଅନ୍ତର୍ଗତ ଗରଡମା ପଞ୍ଚାୟତ ପଦାସାହି ଗାଁରେ ।

ତେବେ ସବୁଠୁ ବଡ଼ ପ୍ରଶ୍ନ ଯେଉଁ କାମ ଅବକାରୀ ବିଭାଗ କରିବା କଥା, ସେହି କାମ ଗାଁର ମହିଳାମାନଙ୍କୁ କାହିଁକି କରିବାକୁ ପଡ଼ିଲା ତାଙ୍କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ନଦୀ କୂଳରେ ଚାଲିଥିଲା ବେଆଇନ ମଦ ଭାଟି। ଦିନେ ନୁହେଁ, ଦୀର୍ଘଦିନ ଧରି ଏଠାରେ ମହୁଲି ମଦ ପ୍ରସ୍ତୁତି ହୋଇ ବିକ୍ରି ହେଉଥିଲା । ଗାଁର ହାଡ଼ି ବିଷୋୟୀ ଏହି କାରବାର ଚଳାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ମଦ ବିକ୍ରିକୁ ନେଇ ଗାଁରେ ଅଶାନ୍ତି ବଢୁଥିବା ବେଳେ ମଦ ପିଇ ଘରେ ଘରେ କଳି, ଝଗଡ଼ା ଓ ପାରିବାରିକ ସମସ୍ୟା ବଢ଼ିବାରେ ଲାଗିଥିଲା। ଶେଷରେ ମହିଳାମାନେ ଆରମ୍ଭ କରିଥିଲେ ମଦ ଭାଟି ହଟାଅ ଅଭିଯାନ।

ମହିଳାମାନେ ରବିବାର ଏକାଠି ହୋଇ ନଦୀ କୂଳରେ ଚାଲିଥିବା ଭାଟି ନିକଟରେ ପହଞ୍ଚିଲେ। ପରେ ମହିଳାମାନେ ମଦ ଭାଟି ଭାଙ୍ଗିଦେଲେ। ଘଟଣା ପରେ ଅବକାରୀ ବିଭାଗର କାର୍ଯ୍ୟକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଯେଉଁ ବ୍ୟକ୍ତି ମଦ ରାନ୍ଧିବା ସହ ବେଆଇନ ଭାବେ ବିକ୍ରି କରୁଥିଲେ ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ନେଇ ସମସ୍ତଙ୍କ ନଜର।

Share