ସମ୍ବଲପୁର,୨୧ା୧୦(ପ୍ରମୋଦ ବହିଦାର): ପବିତ୍ର ବିଜୟାଦଶମୀ ଅବସରରେ ସମ୍ବଲପୁରର ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ଭବ୍ୟ ବିଦାୟ ଦିଆଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ କାଳୀବାଡ଼ିରେ ପାରମ୍ପରିକ ‘ସିନ୍ଦୂର ଖେଳ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ଏଥିରେ ବହୁସଂଖ୍ୟାରେ ମହିଳା ସାମିଲ ହୋଇଥିଲେ।
ମା’ଙ୍କୁ ବିଦାୟ ଦେବା ପୂର୍ବରୁ ମହିଳାମାନେ ଦେବୀଙ୍କୁ ସିନ୍ଦୂର, ମିଠା, ଶଙ୍ଖା ଓ ବିଭିନ୍ନ ଶୃଙ୍ଗାର ସାମଗ୍ରୀ ଅର୍ପଣ କରିଥିଲେ। ପରିବାରର କଲ୍ୟାଣ ତଥା ସୁଖ, ସମୃଦ୍ଧି କାମନା କରି ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ ଏହି ପାରମ୍ପରିକ ରୀତିନୀତି ପାଳନ କରିଥିଲେ।
ସମ୍ବଲପୁରର ବିଶେଷକରି କାଳୀବାଡ଼ିର ବଙ୍ଗୀୟ ରୀତିନୀତିରେ ଏହି ସିନ୍ଦୂର ଖେଳ ଉତ୍ସବର ସବୁଠୁ ବଡ଼ ବିଶେଷତା ହେଉଛି ଏହାର ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଏକତା। ବିଭିନ୍ନ ଜାତି, ଧର୍ମ ନିର୍ବିଶେଷରେ ସବୁ ସମ୍ପ୍ରଦାୟର ଲୋକ ଏକାଠି ହୋଇ ଏହି ଉତ୍ସବକୁ ଆୟୋଜନ କରିବା ସହ ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ଜୀବନ୍ତ ରଖିଛନ୍ତି। ଆଗାମୀ ବର୍ଷ ପୁଣି ମା’ ଆସିବେ ସେହି ଆଶାରେ ଭକ୍ତମାନେ ବୁଧବାର ସନ୍ଧ୍ୟାରେ ମା’ଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି। କାଳୀବାଡ଼ି ପୂଜା କମିଟିର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ପରମ୍ପରା ଅନୁସାରେ ମା’ଙ୍କ ମୂର୍ତ୍ତିକୁ କାନ୍ଧରେ ବୋହି ନେଇ ମହାନଦୀର ସୂତନୂତ୍ର ବିସର୍ଜନ ଘାଟରେ ମା’ଙ୍କୁ ମେଲାଣି ଦେଇଥିଲେ।