ମହିଳା ବସ୍‌ରେ ଏକୁଟିଆ ଯାତ୍ରା କରିବା ମନା, କାର୍‌ରେ ମ୍ୟୁଜିକ୍‌ ବନ୍ଦ…

କାବୁଲ, ୨୭।୧୨: ଆଫଗାନିସ୍ତାନରେ ତାଲିବାନ୍‌ ସରକାରଙ୍କର ପ୍ରକୃତ ମୌଳବାଦୀ ଆଭିମୁଖ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି। ଦେଶର ସରକାରଙ୍କୁ ସ୍ବୀକୃତି ପାଇଁ ଅନ୍ତର୍ଜାତୀୟସ୍ତରରେ ଅନୁରୋଧ କରୁଥିବା ତାଲିବାନ କଠୋର ଆଇନ ପ୍ରଣୟନ କରିଛି। ମହିଳାମାନଙ୍କୁ ବସ କିମ୍ବା ଅନ୍ୟାନ୍ୟ ଗାଡିରେ ଦୀର୍ଘ ଦୂରତା ଏକାକୀ ଯାତ୍ରା କରିବାକୁ ବାରଣ କରାଯାଇଛି। ସେହିପରି ତାଲିବାନ୍‌ ସରକାର କାରରେ ମ୍ୟୁଜିକ୍‌କୁ ବାରଣ କରିଛନ୍ତି। ତାଲିବାନ୍‌ ଏହା ମଧ୍ୟ କହିଛି ଯେ ଯାତ୍ରା ସମୟରେ ମହିଳାମାନଙ୍କୁ ହିଜାବ ପିନ୍ଧିବାକୁ ପଡିବ। ପୂର୍ବରୁ ସରକାରଙ୍କ ପକ୍ଷରୁ ବାଳିକାମାନଙ୍କ ଶିକ୍ଷା ଉପରେ ବହୁ ପ୍ରତିବନ୍ଧକ ଲଗାଯାଇ ସାରିଛି।

ମହିଳାମାନେ ୭୦ କିଲୋମିଟରରୁ ଅଧିକ ଦୂରତା ବସ୍‌ରେ ଏକୁଟିଆ ଯାତ୍ରା କରିପାରିବେ ନାହିଁ। ସେଥିପାଇଁ ସେମାନଙ୍କ ସହିତ ଜଣେ ପୁରୁଷ ରହିବା ଆବଶ୍ୟକ। ଦୂର ଯାତ୍ରା କ୍ଷେତ୍ରରେ ମହିଳାଙ୍କୁ କାରରେ ଏକୁଟିଆ ଯିବା ଆସିବା ଉପରେ ତାଲିବାନ ସରକାର ପ୍ରତିବନ୍ଧ ଲଗାଇଛନ୍ତି। ତାଲିବାନ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି, କେବଳ ହିଜାବ ପିନ୍ଧିଥିବା ମହିଳାଙ୍କୁ ୭୦ କିଲୋମିଟର ଯାତ୍ରା କରିବାକୁ ଅନୁମତି ଦିଆଯିବ।

ମନ୍ତ୍ରଣାଳୟର ମୁଖପାତ୍ର ସାଦିକ ଆକିଫ ମୁହାଜିର କହିଛନ୍ତି ଯେ ମହିଳାଙ୍କ ସହ ପୁରୁଷଙ୍କ ସମ୍ପର୍କୀୟ ରହିବା ଉଚିତ। କିଛି ସପ୍ତାହ ପୂର୍ବରୁ ସରକାର ଟିଭିରେ ମହିଳାଙ୍କ ଅଭିନୟ ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି। ମହିଳା ଟିଭି ଖବରାଦାତାଙ୍କୁ ହିଜାବ ପିନ୍ଧି ଆସିବାକୁ ବାଧ୍ୟ କରାଯାଇଛି।

 

Share