ନୂଆଦିଲ୍ଲୀ,୧୯।୫(ଆଇଏଏନ୍ଏସ୍): ଭାରତର ସହରାଞ୍ଚଳରେ ଡିଜିଟାଲ ବିପ୍ଳବର ମଙ୍ଗ ଏବେ ମହିଳାମାନଙ୍କ ହାତରେ। ବିଶେଷକରି ମନୋରଞ୍ଜନ, ମେସେଜିଂ, ଇ-କମର୍ସ ଏବଂ କ୍ୱିକ୍ କମର୍ସ ଭଳି କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳାମାନେ ଇଣ୍ଟରନେଟ୍ରେ ଅଧିକ ସମୟ ବିତାଉଛନ୍ତି। କଞ୍ଜ୍ୟୁମର ବିହେଭିୟର୍ ଆନାଲିଟିକ୍ସ ପ୍ଲାଟଫର୍ମ ‘ଭିଟିସନ’ ଏବଂ ଇଣ୍ଟରନେଟ ଆଣ୍ଡ୍ ମୋବାଇଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଆଇଏଏମ୍ଏଆଇ) ପକ୍ଷରୁ ମିଳିତ ଭାବେ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ସହରାଞ୍ଚଳର ମହିଳାମାନେ ଦୈନିକ ହାରାହାରି ୮୨.୪ ମିନିଟ୍ କେବଳ ମନୋରଞ୍ଜନଭିତ୍ତିକ କଣ୍ଟେଣ୍ଟ ଦେଖିବାରେ ବିତାଉଛନ୍ତି। ଏଥିମଧ୍ୟରେ ୨୫ରୁ ୩୪ ବର୍ଷ ବୟସ୍କା ମହିଳାମାନଙ୍କର ସକ୍ରିୟତା ସବୁଠାରୁ ଅଧିକ। ସେମାନେ ପ୍ରତିଦିନ ପ୍ରାୟ ୮୬.୩ ମିନିଟ୍ ଡିଜିଟାଲ ମନୋରଞ୍ଜନରେ ଅତିବାହିତ କରୁଛନ୍ତି। ଇ-କମର୍ସ ଏବଂ କ୍ୱିକ୍ କମର୍ସ ପ୍ଲାଟଫର୍ମଗୁଡ଼ିକରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବ୍ୟବହାରର ସବୁଠାରୁ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳିଛି। ମେଟ୍ରୋ ସହରଗୁଡ଼ିକରେ ୨୫-୩୪ ବର୍ଷର ମହିଳାମାନେ ଶପିଂ ପାଇଁ ଦୈନିକ ହାରାହାରି ୩୫.୨ ମିନିଟ୍ ଏବଂ ପୁରୁଷମାନେ ୨୪.୮ ମିନିଟ୍ ସମୟ ଦେଉଛନ୍ତି। ଅର୍ଥାତ୍ ଅନଲାଇନ ଶପିଂ କ୍ଷେତ୍ରରେ ମହିଳାମାନଙ୍କ ଭାଗୀଦାରି ପୁରୁଷଙ୍କ ଅପେକ୍ଷା ୪୨% ଅଧିକ। ପ୍ରାୟ ୪୦.୭ କୋଟି ସହରୀ ଭାରତୀୟଙ୍କ ପ୍ରତିନିଧିତ୍ୱ କରୁଥିବା ୧ ଲକ୍ଷରୁ ଅଧିକ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ତଥ୍ୟକୁ ଅନୁଧ୍ୟାନ କରି ଏହି ବିଶ୍ଳେଷଣ ପ୍ରସ୍ତୁତ କରାଯାଇଛି।
ଭାରତୀୟ ସହରଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆପ୍ ବ୍ୟବହାର ଏକ ଦୈନନ୍ଦିନ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ଏହି କ୍ଷେତ୍ରରେ ୧୦୦ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ରେକର୍ଡ କରାଯାଇଛି। ସହରୀ ବ୍ୟବହାରକାରୀମାନେ ଦୈନିକ ହାରାହାରି ୧୧.୩ ମିନିଟ୍ ଏଆଇ ଆପ୍ଲିକେଶନ୍ରେ ବିତାଉଛନ୍ତି। ବର୍ତ୍ତମାନ ଏହି ବ୍ୟବହାର ମୁଖ୍ୟତଃ ୧୮-୩୪ ବର୍ଷର ଯୁବପିଢ଼ି ଏବଂ ଉଚ୍ଚ ଆୟକାରୀ ସହରୀ ପରିବାର ମଧ୍ୟରେ ସୀମିତ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାରମ୍ପରିକ ସର୍ଚ୍ଚ ଇଞ୍ଜିନ କିମ୍ବା ଇ-କମର୍ସ ସାଇଟ୍ ଖୋଲିବା ପୂର୍ବରୁ ଗ୍ରାହକମାନେ ବ୍ରାଣ୍ଡ୍ ଓ ପ୍ରଡକ୍ଟ ବିଷୟରେ ଜାଣିବା ପାଇଁ କନଭର୍ସେନାଲ ଏଆଇ ଟୁଲ୍ସର ସାହାଯ୍ୟ ନେଉଛନ୍ତି।
ଅନ୍ୟପକ୍ଷରେ ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ୧୮ରୁ ୨୪ ବର୍ଷ ବୟସ୍କ ଯୁବ ଗ୍ରାହକମାନେ ସବୁଠାରୁ ଆଗରେ ଅଛନ୍ତି। ଏହି ବର୍ଗର ଉପଭୋକ୍ତାମାନେ ଦୈନିକ ହାରାହାରି ୧୨୦ ମିନିଟ୍ (୨ ଘଣ୍ଟା) ସୋସିଆଲ ମିଡିଆରେ ବିତାଉଛନ୍ତି, ଯାହାକି ସାଧାରଣ ହାରାହାରି ସମୟ (୯୭.୯ ମିନିଟ୍) ଠାରୁ ଯଥେଷ୍ଟ ଅଧିକ। ଅପରପକ୍ଷରେ ୩୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ମନୋରଞ୍ଜନ କ୍ଷେତ୍ରରେ ଦୈନିକ ୭୭-୭୮ ମିନିଟ ସମୟ ଦେଉଛନ୍ତି। ରିପୋର୍ଟ ଅନୁସାରେ, ଡିଜିଟାଲ ପେମେଣ୍ଟ କିମ୍ବା ଟଙ୍କା କାରବାର ଆପ୍ ବ୍ୟବହାର କରିବା ଶୈଳୀ ସବୁ ଆୟ ବର୍ଗର (ଉଚ୍ଚ, ମଧ୍ୟମ ଓ ନିମ୍ନ) ପରିବାର ମଧ୍ୟରେ ପ୍ରାୟ ସମାନ ରହିଛି।

