୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ମହିଳାଙ୍କ ସ୍ବାମୀକୁ କୋକସରା ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଲଡୁଗାଁ ଗ୍ରାମର ସୁରଞ୍ଜନ ଦାସଙ୍କ ଦ୍ବିତୀୟ ଝିଅ ସୁପ୍ରିତି ଦାସ ଓ ଜ୍ବାଇଁ ନୂଆପଡା ଜିଲା ସିଙ୍ଗଝର ଗ୍ରାମର ପ୍ରଭାସ ଦାସ ଦୀର୍ଘ ୫ବର୍ଷ ତଳେ ବିବାହ କରିଥିଲେ। ଏବଂ ସେମାନେ ଲଡୁଗାଁ ସ୍ଥିତ ଏକ ଭଡ଼ାଘରେ ରହି ଆସୁଥିଲେ। ତେବେ ମଙ୍ଗଳବାର ଘର ଭିତରେ ସୁପ୍ରିତିର ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ସ୍ବାମୀ ପ୍ରଭାସ ତାଙ୍କୁ ଉଦ୍ଧାର କରି ଶ୍ବଶୁର ଘର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସେମାନେ ପହଞ୍ଚି କୋକସରା ଥାନାକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ କରିବା ସହ ମୃତଦେହ ଜବତ କରି କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ।
ସେଠାରେ ମୃତଦେହ ବ୍ୟବଚ୍ଛେଦ ହେବାପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ମୃତ ମହିଳାଙ୍କ ବାପ ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।  ପୁଲିସ ମୃତ ମହିଳାଙ୍କ ସ୍ବାମୀ ପ୍ରଭାସଙ୍କୁ କୋକସରା ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।  କୋକସରା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି।
Dharitri – Odisha’s No.1 Odia Daily

Share
Tags: murderodisha