ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଜବତ କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୪୫/୨୬) ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ବୁଧବାର ଭୋରରେ ପ୍ରହଲ୍ଲାଦ ଗାଁ ନିକଟ ଜମିକୁ କାମ ପାଇଁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ଘରକୁ ଫେରିବା ବେଳେ ସ୍ତ୍ରୀ ସାବିତ୍ରୀ ଚେତାଶୂନ୍ୟ ଅବସ୍ଥାରେ ଘରେ ପଡ଼ିଥିଲେ। ତାଙ୍କୁ ସାହି ପଡୋଶୀଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ କୌଣସି ବିଷାକ୍ତ ପଦାର୍ଥ ଖାଇଦେଇଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେବାକୁ କହିଥିଲେ। ସାବିତ୍ରୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଗୁରୁବାର ଭୋର ପ୍ରାୟ ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପ୍ରହଲ୍ଲାଦ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ଦିଲ୍ଲୀପ କୁମାର ଗୋରଡ଼ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲେ।

Share