ଭଡ଼ାଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ: ଅନୈତିକ ସମ୍ପର୍କରୁ ହତ୍ୟା

ବାସୁଦେବପୁର,୫।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ଅଞ୍ଚଳର ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ଗତ ଗୁରୁବାର ମିଳିଥିଲା। ଝିଅକୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ମୃତା ମହିଳାଙ୍କ ମା’ ବାସୁଦେବପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୫୬/୨୩) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ୫ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସତ୍ୟଜିତ ଓରଫ ବାପୁନୁ ମାଝୀ(୨୫)ଙ୍କୁ ପୋଲିସ ଗିରଫ କରିବା ସହ ହତ୍ୟା ରହସ୍ୟ ଉନ୍ମୋଚନ କରିଛି। ଅନୈତିକ ସମ୍ପର୍କ ହତ୍ୟାକାଣ୍ଡର କାରଣ ବୋଲି ପୋଲିସ ସୂଚନା ଦେଇଛି।
ପ୍ରକାଶ ଯେ, ମୃତା ମହିଳାଙ୍କ ସ୍ବାମୀ ଜଣେ ମତ୍ସ୍ୟଜୀବୀ। ସେ ସ୍ତ୍ରୀ ଓ ଶିଶୁକନ୍ୟାଙ୍କୁ ନେଇ ଇରମ ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କ ଘର ମାଲିକଙ୍କ ଭାଇଙ୍କ ପୁଅ ସତ୍ୟଜିତଙ୍କ ସହ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୧ ତାରିଖ ରାତିରେ ସେ ସତ୍ୟଜିତଙ୍କୁ ଘରକୁ ଡକାଇ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ଏଥିରେ ସତ୍ୟଜିତ ରାଜି ନ ହେବାରୁ ମୋତେ ବିବାହ ନ କଲେ ଫାଶୀ ଦେଇ ମରିବି ବୋଲି ସେ ଧମକାଇଥିଲେ। ଏହି ସମୟରେ ସତ୍ୟଜିତ ସେଠାରୁ ପଳାଇଥିଲେ। ପୁଣି କିଛି ସମୟ ପରେ ସେ ମହିଳାଙ୍କ ଘରେ ପହଞ୍ଚିଥିଲେ। ସେତେବେଳକୁ ମହିଳା ଜଣକ ରଶି ଲଗାଇବାକୁ ପ୍ରସ୍ତୁତ ହେଉଥିଲେ। ସତ୍ୟଜିତ ତାଙ୍କୁ ବୁଝାଶୁଝା କରି ବିଫଳ ହେବା ପରେ ଉତ୍ତ୍ୟକ୍ତ ହୋଇ ଉକ୍ତ ଫାଶୀ ଲୁଗାରେ ମହିଳାଙ୍କ ବେକକୁ ଚାପି ମାରି ଦେଇଥିଲେ। ଏହାପରେ ଅପରାଧ ଲୁଚାଇବା ପାଇଁ ମୃତଦେହକୁ ଲୁଗାରେ ଝୁଲାଇ ଦେଇ ପଳାଇଥିଲେ। ପଚରାଉଚରା ବେଳେ ସତ୍ୟଜିତ ସବୁ ସତ ମାନିଥିବା ଆଇଆଇସି ସାବିତ୍ରୀ ପଣ୍ଡା କହିଛନ୍ତି।