ଗଛରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ

କୋକସରା,୩।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଡହଗାଁ-ସାରସମାଲ ଗ୍ରାମ ସୀମାରେ ଥିବା ଗୋଚିଆ ଡଙ୍ଗର ନିକଟରେ ଜଣେ ମହିଳାଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ଲୋକେ ଚାଷଜମିକୁ ଯିବା ସମୟରେ ମୃତଦେହ ଓହଳି ପଡ଼ିଥିବା ଦେଖି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବ୍ରଜମୋହନ ନାଏକ ଓ ପୋଲିସକୁ ସୂଚନା ଦେଇଥିଲେ।

ମୃତ ମହିଳା ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଅଞ୍ଚଳର ଲୁକେଶୀ କୁଅଁର(୧୯) ବୋଲି ଜଣାପଡିଛି । ସେ ଗତ ଦୁଇବର୍ଷ ତଳେ ନୂଆପଡ଼ା ଜିଲା ସିଏଲଲଟି ଗ୍ରାମର ହେମନ୍ତ ବେଲଦାରଙ୍କୁ ପ୍ରେମ ବିବାହ କରିଥିଲେ l ପରିବାର ଗୁଜୁରାଣ ମେଣ୍ଟେଇବା ପାଇଁ ଗତ ବର୍ଷେ ହେବ କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ଝାରବନ୍ଧପଡା ଅଞ୍ଚଳରେ ରହୁଥିଲେ। ପଥର ନିର୍ମିତ ଘରିକରଣା ସାମଗ୍ରୀ ତିଆରିକରିବା ସହ ବିକ୍ରିକରି ଚଳୁଥିଲେ। ସୋମବାର ସକାଳେ ଝୁଳନ୍ତା ଅବସ୍ଥାରେ ମୃତଦେହ ପୋଲିସ ଜବତ କରିଛି। ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କୋକସରା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପାରିପାଶର୍‌ବିକ ଅବସ୍ଥାକୁ ଦେଖି ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି।