ପୋଖରୀରେ ଭାସୁଥିଲା ମହିଳାଙ୍କ ମୃତଦେହ, ଲୋକେ ଗାଧୋଇବାକୁ ଯିବାବେଳେ…

ବୈଶିଙ୍ଗା,୩ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ନିକଟସ୍ଥ ନୂଆସାହି ଗ୍ରାମ ପୋଖରୀରୁ ବୁଧବାର ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବ,କ ଆଜି ସକାଳେ ଗାଁ ଲୋକେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ସଙ୍ଗେସଙ୍ଗେ ଘଟଣା ନିଆଁ ଭଳି ଚାରିପଟେ ଖେଳିଗଲା। ଶହଶହ ଲୋକ ପୋଖରୀ ନିକଟରେ ଯାଇ ଭିଡ଼ ଲଗାଇଥିଲେ। ତେବେ ଜଣାପଡ଼ିଲା ଯେ, ଗଲା କିଛି ମାସ ଧରି ବାଲେଶ୍ୱର ଅଞ୍ଚଳର ଏକ ଦମ୍ପତି ଜନୈକ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ମୃତା ମହିଳାଙ୍କ ସ୍ବାମୀ ଜୋଜୋ ମାଝୀ ଛତିଶଗଡ଼ର ଏକ କମ୍ପାନୀରେ କାର୍ଯ୍ୟରତ।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ଭାସମାନ ମୃତଦେହକୁ ପାଣିରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନ ଥିବାରୁ ମାତ୍ର ତିନି ଫୁଟ ପାଣି ଥିବା ପୋଖରୀରେ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଥିଲା କିମ୍ବା ତାଙ୍କୁ ଅନ୍ୟତ୍ର ମାରିଦେଇ ପୋଖରୀରେ ଆତ୍ମହତ୍ୟା ରୂପ ଦେବା ପାଇଁ ଫିଙ୍ଗି ଦିଆଯାଇଥିବା ଭଳି ବିଭିନ୍ନ ସନ୍ଦେହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି। ତେବେ ମୃତା ମହିଳାଙ୍କ ସ୍ବାମୀଙ୍କୁ ଖବର ଦିଆଯାଇଛି ଏବଂ ସେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ିବ ବୋଲି ଥାନାଧିକାରୀ ବାରିଣୀ ଦାସ କହିଛନ୍ତି।

Dharitri – Odisha’s No.1 Odia Daily

Share