ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର ଦିନ ଭଟଲି ବଜାର ପଡ଼ାରେ ଏକ ଅତର୍କିତ ଚଢ଼ାଉ କରି ଜଣେ ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ମହିଳା ଜଣକ ହେଉଛନ୍ତି ଭଟଲି ବଜାର ପଡ଼ାର ସୁବିଧା ପାତିକର (୩୮)। ପୋଲିସ ତାଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଓ ନିଶାଦ୍ରବ୍ୟ (ନଗଦ ୬ ଲକ୍ଷ ୧୪ ହଜାର ୫୦ ଟଙ୍କା, ୧୧୭ ବୋତଲ କଫସିରପ, ଦେଶୀ ମଦ ୩୦ଟି ପାଉଚ ଜବତ କରିଛି।
ଏହି ଘଟଣାକୁ ନେଇ ଭଟଲି ଥାନା ପୋଲିସ ଏକ ମାମଲା (ନଂ-୮୯/୨୬) ରୁଜୁ କରିଛି। ମହିଳାଙ୍କୁ ଗିରଫ କରାଯିବା ପରେ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଥିଲା। କୋର୍ଟରେ ତାଙ୍କର ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜିଲା କାରାଗାର ହାଜତକୁ ପଠାଇ ଦିଆଯାଇଛି।
ଏତେ ପରିମାଣର ନିଶାଦ୍ରବ୍ୟ ମହିଳା ଜଣକ କେଉଁଠାରୁ ଆଣୁଥିଲେ ଏବଂ ଏହି କାରବାରରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ଛାନଭିନ ଜାରି ରଖିଛି। ଆଗାମୀ ଦିନରେ ଏହି ରାକେଟ ସହ ଜଡ଼ିତ ଅନ୍ୟ ସଦସ୍ୟମାନେ ମଧ୍ୟ ଧରାପଡ଼ିବେ ବୋଲି ପୋଲିସ ଆଶା ପ୍ରକଟ କରିଛି। ବରଗଡ଼ ପୋଲିସର ଏହି ସଫଳତା ଜିଲ୍ଲାରେ ନିଶା ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।

