କଏଦୀଙ୍କ ପାଇଁ ଗୁଟ୍‌ଖା ନେଇ ମହିଳା ୱାର୍ଡେନ ନିଲମ୍ବିତ

ମାଲକାନଗିରି,୩୧ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପ କାରାଗାରରେ କଏଦୀଙ୍କ ପାଇଁ ଗୁଟ୍‌ଖା ନେଉଥିବା ବେଳେ ଧରାପଡ଼ି ଜଣେ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସେ ହେଲେ ମହିଳା ୱାର୍ଡେନ ରୀତା ମାଣ୍ଡିଆ। ସୂଚନା ଅନୁଯାୟୀ, ରୀତା ମହିଳା ୱାର୍ଡ ଦାୟିତ୍ୱରେ ଅଛନ୍ତି। ସୋମବାର ସେ ଜେଲ ମଧ୍ୟକୁ ଯିବା ସମୟରେ ସାଙ୍ଗରେ ଜଣେ ମହିଳା କଏଦୀଙ୍କ ପାଇଁ ୨୦ ପ୍ୟାକେଟ ତମାଖୁ ନେଇ ଯାଉଥିଲେ। ଜେଲ ଫାଟକରେ ଯାଞ୍ଚବେଳେ ସେ ଧରା ପଡ଼ିଥିଲେ। ଜେଲର୍‌ ସଞ୍ଜୟ ବର୍ମା ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓ୍ବାର୍ଡେନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଜେଲ ପରିସରରେ ନିଶାଦ୍ରବ୍ୟ ସେବନ ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ମହିଳା କର୍ମଚାରୀ ଅର୍ଥ ଲୋଭରେ ଏପରି କରିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ କଏଦୀଙ୍କ ଅନୁରୋଧ ଯୋଗୁ ଏଭଳି କରିଥିବା ମହିଳା ଓ୍ବାର୍ଡେନ ବିଭାଗୀୟ ଅଧିକାରୀଙ୍କୁ ସଫେଇ ଦେଇଥିବା ଜଣାପଡ଼ିଛି।