ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ମାଲକାନଗିରି,୧୯ା୫(ଡି.ଏନ୍‌.ଏ.): ମାଲକାନଗିରି ସଦର ଥାନା ସମ୍ମୁଖରେ ଜଣେ ମହିଳା ଗୁରୁବାର ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି ମାଝି(୫୦)। ଶରୀରରେ ନିଆଁ ଲଗାଉଥିବା ଦେଖି ଥାନା ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇ ଉଦ୍ଧାର କରିଛନ୍ତି। ତେବେ ପୋଲିସଠାରୁ ନ୍ୟାୟ ନ ମିଳିବାରୁ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ସୁକାନ୍ତିଙ୍କ ପରିବାର ଲୋକେ କହିଛନ୍ତି।
ସୂଚନା ଅନୁଯାୟୀ, ମେ ୯ ଭୋର ପ୍ରାୟ ୩ଟାରେ ସୁକାନ୍ତିଙ୍କ ନଣନ୍ଦ ଦେବକୀ ହନ୍ତାଳଙ୍କୁ ତାଙ୍କ ଦିଅର ବଳରାମ ଓ ଅନ୍ୟ ସମ୍ପର୍କୀୟମାନେ ମିଶି ବିନା କାରଣରେ ଗାଳିଗୁଲଜ କରିବା ସହ ଶାଢ଼ି ଚିରି ମାଡ଼ ମାରିଥିଲେ। ଏହା ଦେଖି ସୁକାନ୍ତି ନଣନ୍ଦଙ୍କୁ ରକ୍ଷା କରିବା ସହ ମାଡ଼ର ପ୍ରତିବାଦ କରିଥିଲେ। ଫଳରେ ସୁକାନ୍ତି ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାକୁ ନେଇ ସୁକାନ୍ତି ସେହିଦିନ ହିଁ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ। ଏଥିରେ ଦେବକୀଙ୍କ ଦିଅର ବଳରାମଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଅଭିଯୋଗ ହୋଇଥିଲା। ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୁକାନ୍ତି ଦାବି କରିଥିଲେ। ତେବେ ଏହି ଘଟଣାରେ ଅପରପକ୍ଷ ଲୋକେ ମଧ୍ୟ ମେ ୧୦ରେ ଥାନାରେ ଏତଲା ଦେଇଛନ୍ତି। ଗାଁର ବଳରାମ ହନ୍ତାଳଙ୍କ ଭାଇ ଭଗୁଙ୍କୁ ଦେବକୀ ୭ ବର୍ଷ ତଳେ ବିବାହ କରିଥିଲେ। ପରେ ଭଗୁଙ୍କୁ ଛାଡ଼ି ଅନ୍ୟତ୍ର ବିବାହ କରିଥିଲେ। ୧୦ଦିନ ତଳେ ଭଗୁଙ୍କ ମୃତ୍ୟୁ ଘଟିଥିଲା। ଦେବକୀ ଏବଂ ତାଙ୍କ ଭାଉଜ ଦଶାହ କାର୍ଯ୍ୟରେ ଯୋଗଦେଇ ବିନା କାରଣରେ ଗାଳିଗୁଲଜ କରିବା ସହ ଚପଲରେ ମାଡ଼ ମାରିଥିବା ବଳରାମ ଏତଲାରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀ ଏକ ବୈଠକ କରିଥିବା ବେଳେ ବୈଠକରେ ମଧ୍ୟ ଯୋଗଦେଇ ନ ଥିଲେ। ଫଳରେ ସେ ଥାନାର ଦ୍ୱାରସ୍ଥ ହୋଇଥିବା ଉଲ୍ଲେଖ କରିଛନ୍ତି। ତେବେ ଏହି ଘଟଣାର ପ୍ରାୟ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ନ ହେବାରୁ ଗୁରୁବାର ସୁକାନ୍ତି ଥାନା ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ଏ ବିଷୟରେ ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ କୁମାର ପାତ୍ରଙ୍କୁ ପଚାରିବାରୁ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛିି। ୨୫୧/୨୨ ଏବଂ ୨୫୫/୨୨ରେ ଦୁଇଟି ମାମଲା ରୁଜୁ କରାଯାଇ ଉଭୟ ପକ୍ଷଙ୍କୁ ନୋଟିସ କରାଯାଇଥିବା ସେ କହିଛନ୍ତି।