ଜଳନ୍ତା କୋଠାରୁ ଶିଶୁପୁତ୍ରକୁ ତଳକୁ ଫିଙ୍ଗିଦେଲେ ମହିଳା, ଭିଡିଓ ଭାଇରାଲ

କେପ୍‌ଟାଉନ,୧୫ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ୍‌ ଜୁମା ଗିରଫ ହେବା ପରେ କେତେକ ସହରରେ ହିଂସା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପରିସ୍ଥିତି ଏତେ ଖରାପ ଯେ, ଜଣେ ମହିଳା ଜଳୁଥିବା କୋଠାରୁ ନିଜ ପିଲାକୁ ତଳକୁ ଫିଙ୍ଗି ଦେଇଛନ୍ତି।

ଡର୍ବାନର ସେଣ୍ଟ୍ରାଲ ବିଜ୍‌ନେସ ଜିଲାରେ ଦଙ୍ଗାକାରୀମାନେ ଉପର ମହଲାରେ ଥିବା ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମହିଳା ଜଣକ ଏହି କୋଠାରେ ଫସି ରହିଥିଲେ। ମହିଳା ଜଣକ କୌଣସି ଉପାୟ ନ ପାଇ ନିଜ ଶିଶୁପୁତ୍ରର ଜୀବନ ବଞ୍ଚାଇବା ପାଇଁ ତଳକୁ ଫିଙ୍ଗି ଦେଇଥିଲେ।

ତଳେ ଥିବା କିଛି ଲୋକ ଆପାର୍ଟମେଣ୍ଟରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରୁଥିଲେ। ଯେତେବେଳେ ସେମାନେ ଏହା ଦେଖିଲେ ଯେ, ମହିଳା ଜଣକ ନିଜ ପିଲାକୁ ତଳକୁ ଫିଙ୍ଗୁଛନ୍ତି କର୍ମଚାରୀମାନେ ଆସି ପିଲାଟିକୁ ଉଦ୍ଧାର କରିଥିଲେ। ମହିଳା ଜଣକ ଏବେ କିଛି କହିପାରୁନାହାନ୍ତି। ସେ କୋମାରେ।

ସୂଚନାଯୋଗ୍ୟ, ୭୯ ବର୍ଷୀୟ ଜୁମାଙ୍କୁ ୧୫ ମାସ ଜେଲ୍‌ଦଣ୍ଡ ଶୁଣାଇ ଦିଆଯାଇଛି। ଗତ ସପ୍ତାହରେ ତାଙ୍କୁ ଗିରଫ ବି କରାଯାଇଛି। ଚଳିତବର୍ଷ ଜୁନ୍‌ରେ ଜ୍ୟାକବ୍‌ ତାଙ୍କ ରାଷ୍ଟ୍ରପତି କାଳରେ ହୋଇଥିବା ଦୁର୍ନୀତିର ତଦନ୍ତରେ ଜଡ଼ିତ ଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତଦନ୍ତରେ ସେ ଅଂଶଗ୍ରହଣ କରି ନ ଥିଲେ। ତାଙ୍କୁ ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ତାଙ୍କ ସମର୍ଥକମାନେ ରାଗିଯାଇ ତାଙ୍କୁ ମୁକ୍ତ ପାଇଁ ଦାବି କରିବା ସହ ରାସ୍ତା ଅବରୋଧ କରିଥିଲେ। ଏହାପରେ ହିଂସା ଆରମ୍ଭ ହୋଇଥିଲା।

Share