ନିଶା ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା: ଅବକାରୀ-ପୋଲିସର ହାତ ଅପହଞ୍ଚ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଉପରେ ରୋକ୍‌ ଲାଗି ପାରୁ ନାହିଁ। ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଗଳିକନ୍ଦିରେ ଅବାଧରେ ଏହି କାରବାର ଚାଲିଛି। ଚିରାଚରିତ ଢଙ୍ଗରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବଛାବଛା କିଛି ସ୍ଥାନରେ ଚଢ଼ାଉ ଚାଲିଛି। ମଦ, ଗଞ୍ଜେଇ, କଫ୍‌ ସିରପ ଆଦି ନିଶାଦ୍ରବ୍ୟ ଜବତ ହେଉଛି। ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଉଛି। ହେଲେ କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଖୋଲାଖୋଲି ଚୋରା ନିଶା କାରବାର ଚାଲିଥିଲେ ମଧ୍ୟ ସେଠାକୁ ଅବକାରୀ ଓ ପୋଲିସର ହାତ ଅପହଞ୍ଚ ହୋଇ ପଡୁଛି। ଅନ୍ୟପଟେ ସମ୍ପୃକ୍ତ ଅଞ୍ଚଳରେ ନିଶା ଜନିତ ଅପରାଧ ବଢ଼ି ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ମଙ୍ଗଳବାର ଜିଲାର ବରପାଲି ଥାନା ଧାଙ୍ଗେରପାଲି ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇ ଗ୍ରାମକୁ ନିଶାମୁକ୍ତ କରିବା ଲକ୍ଷ୍ୟ ନେଇ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ଧାଙ୍ଗେରପାଲି ଗ୍ରାମରେ ଅବାଧରେ ଚେରାମଦ କାରବାର ଚାଲିଛି। ଏହାର କୁପ୍ରଭାବ ଗ୍ରାମବାସୀଙ୍କ ଉପରେ ପଡୁଛି। ଏଥିପାଇଁ ଗ୍ରାମରେ ବିଭିନ୍ନ ସମୟରେ କଳିଗୋଳ ଲାଗି ରହିଛି। ଫଳରେ ଗ୍ରାମରେ ଚାଲିଥିବା ନିଶା କାରବାରକୁ ସମ୍ପୁର୍ଣ୍ଣ ବନ୍ଦ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଦାବିପତ୍ରରେ ଗ୍ରାମର ୱାର୍ଡ଼ସଭ୍ୟ ସୁବୋଧ ତାଣ୍ଡିଙ୍କ ସମେତ ସ୍ବୟଂ ସହାୟିକା ଗୋଷ୍ଠୀର କୌଶଲ୍ୟା ସେଠ, ଦମୟନ୍ତୀ କାଲସେ, ମନୀଷା ସେଠ, ନଳିନୀ ସେଠ, ବାସନ୍ତୀ ବୁଡ଼େକ ପ୍ରମୁଖଙ୍କ ସ୍ବାକ୍ଷର ରହିଛି।

 

Dharitri – Odisha’s No.1 Odia Daily

 

Share