ମହିଳାଙ୍କୁ ପଥରରେ ଛେଚି ହତ୍ୟା, ଜଣେ ଅଟକ

ଗଞ୍ଜାମ,୭ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ଜଣେ ମହିଳାଙ୍କୁ ସୁନା ଅଳଙ୍କାର ଲୋଭରେ ଶନିବାର ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାରେ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ରମ୍ଭା ଥାନା ପୋଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି। ଏଥିସହ କେସ୍‌ ନଂ ୭୧୦/୨୩ରେ ମାମଲା ଦାୟର କରିଛି ରମ୍ଭା ଥାନା ପୋଲିସ। ରମ୍ଭା ଥାନା ଇଲାକାରେ ଏହି ଘଟଣାକୁ ମିଶାଇ ଦୁଇଟି ମହିଳାଙ୍କୁ ଏପରି ହତ୍ୟା କରାଯାଇଛି ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ପ୍ରକାଶ ଯୋଗ୍ୟ, ଜହମି ଗ୍ରାମର ଭଗବାନ ନାହାକଙ୍କ ସ୍ତ୍ରୀ ପୁନିସ୍ତ(୬୬) ନିକଟସ୍ଥ ରେଳ ଲାଇନ ପାର ହୋଇ ପାହାଡ଼ ପାର୍ଶ୍ୱରେ ରହିଥିବା ଜଙ୍ଗଲକୁ କାଜୁ ସଂଗ୍ରହ କରିବାକୁ ଯାଇଥିଲେ।
ସେ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ କାଜୁ ଜଙ୍ଗଲରେ ଯାଇ ଖୋଜାଖୋଜି କରିଥିଲେ। ଜଙ୍ଗଲ ମଧ୍ୟରେ ତାଙ୍କର ମୃତଦେହ ପଡ଼ିଥିବା ଦେଖି ରମ୍ଭା ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ରମ୍ଭା ଥାନା ଆଇଆଇସି ପି ସ୍ବରୂପ କିଷାନ ପହଞ୍ଚି ତଦନ୍ତ କରିଥିଲେ। ବୃଦ୍ଧା ଜଣଙ୍କ ସୁନା ଅଳଙ୍କାର ପିନ୍ଧି ଥିବା ବେଳେ ତାଙ୍କୁ କୌଣସି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିବା ପରେ ତାଙ୍କର ସୁନା ଅଳଙ୍କାର ଲୁଟି ନେଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି l ଖୁବ୍‌ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ କରାଯିବ ବୋଲି ରମ୍ଭା ପୋଲିସ ପକ୍ଷରୁ କୁହାଯାଇଛି।