ଉପସ୍ଥିତ ବୁଦ୍ଧି ଖଟାଇ ନଦୀରେ ବୁଡ଼ିଯାଉଥିବା ୨ ବାଳିକାଙ୍କୁ ଉଦ୍ଧାରକଲେ ମହିଳା

କଲ୍ୟାଣସିଂହପୁର,୧।୫ (ଦୀପକ କୁମାର ପରିଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅଡ଼ାବାଡ଼ି ଗାଁରେ ନଦୀରେ ବୁଡ଼ିଯାଉଥିବା ୨ ଝିଅଙ୍କୁ ଜଣେ ମହିଳା ଉପସ୍ଥିତ ବୁଦ୍ଧି ଖଟାଇ ପାଣିରୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଅଡାବାଡି ଗାଁର ନମିତା କୌଶଲ୍ୟାଙ୍କ ସହ ତାଙ୍କ ଝିଅ ସାଲେନି କୌଶଲ୍ୟା (୧୩) ଓ ତାଙ୍କ ସାଙ୍ଗ ଦେବୀ କୌଶଲ୍ୟା (୧୩) ଗୁରୁବାର ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇଥିଲେ। ନମିତା ନଦୀକୂଳରେ ବସି ଲୁଗା ସଫା କରୁଥିବା ସମୟରେ ସାଲେନି ଓ ଦେବୀ ପାଣିରେ ଖେଳୁଥିଲେ। ହଠାତ୍‌ ୨ ଜଣ ଗଭୀର ପାଣିକୁ ଯାଇ ବୁଡ଼ିଯାଇଥିଲେ। ପାଖରେ ଥିବା ଏକ ୭ ବର୍ଷର ଶିଶୁ ଏହା ଦେଖି ତୁରନ୍ତ ନମିତାଙ୍କୁ ସୂଚନା ଦେଇଥିଲା। ନମିତା ସଙ୍ଗେସଙ୍ଗେ ନଦୀ ଭିତରକୁ ଯାଇ ୨ଜଣଙ୍କୁ ଉଦ୍ଧାର କରିଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ୨ ଝିଅଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଅନୁଭବ ସାହୁ ପ୍ରାଥମିକ ଚିକିତ୍ସା କରିଥିବାବେଳେ ବର୍ତ୍ତମାନ ଦୁଇଜଣ ସୁସ୍ଥ ଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share