ତାତିଲେ ମହିଳା, ନିଆଁରେ ମଦ ଢାଳିଲେ

ଭଦ୍ରକ ଅଫିସ, ୫ା୪: ଗାଁରେ ବେଆଇନ ମଦ ବିକ୍ରିକୁ ନେଇ ତାତିଲେ ମହିଳା। ବିକ୍ରେତାଙ୍କ କ୍ୟାବିନ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ନିଆଁରେ ମଦ ଢାଳି ନଷ୍ଟ କରିଛନ୍ତି। ଏପରିକି ଘଟଣାସ୍ଥଳକୁ ଯାଇଥିବା ପୋଲିସ ଭ୍ୟାନ୍‌କୁ ଅଟକାଇଥିଲେ। ଭଦ୍ରକ ବ୍ଲକ ଗୁଜିଦରଡ଼ା ଫାଣ୍ଡି ଅଧୀନ ଆହାରପଦା ହାତୀସାହିରେ ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି।
ହାତୀସାହିରେ ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ଚୋରାରେ ମଦ ବିକ୍ରି କରୁଛନ୍ତି। ଏହାଦ୍ୱାରା ଛାତ୍ର, ଯୁବକମାନେ ନିଶାସକ୍ତ ହୋଇ ଅଶାନ୍ତ ବାତାବରଣ ସୃଷ୍ଟି ହେଉଛି। ଏହାକୁ ନେଇ ବାରମ୍ବାର ଗୁଜିଦରଡ଼ା ଫାଣ୍ଡି ଓ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ମଦ ବେପାରୀ ଫାଣ୍ଡି ପୋଲିସ ଓ ଅବକାରୀ କର୍ମଚାରୀଙ୍କୁ ମାସିକିଆ ବଟି ଦେଉଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଗ୍ରାମବାସୀ କହିଛନ୍ତି। ସୋମବାର ରାତିରେ ଗ୍ରାମର ମହିଳାମାନେ ଉକ୍ତ ବେପାରୀ ବେଆଇନ ଭାବେ ମଦ ରଖୁଥିବା କ୍ୟାବିନକୁ ଭାଙ୍ଗି ଓଲଟାଇ ଦେବା ସହ ସେଥିରେ ଥିବା ମଦ ଆଣି ନଷ୍ଟ କରିଥିଲେ। ଏହାକୁ ନେଇ ମଦ ବେପାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଉତ୍ତେଜନା ଦେଖାଦେବାରୁ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ମହିଳାମାନଙ୍କୁ ପୋଲିସ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଟାୟାର ଜାଳି କିଛି ସମୟ ପାଇଁ ରାସ୍ତାରୋକୋ କରିଥିଲେ। ଶେଷରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିବା ସହ ମଦ ବେପାରୀଙ୍କୁ ଥାନାକୁ ଉଠାଇ ନେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।