ବୃଦ୍ଧାଙ୍କୁ କୋଳରେ ବୋହି ମତଦାନ କେନ୍ଦ୍ରକୁ ନେଲେ ମହିଳା ପୋଲିସ

ଭବାନୀପାଟଣା,୨୪।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାରେ ଗୁରୁବାର ପୌର ନିର୍ବାଚନ ଶେଷ ହୋଇଛି। ଭବାନୀପାଟଣା ୧୪ ନମ୍ବର ୱାର୍ଡ ଟାଉନ ହାଇସ୍କୁଲ ବୁଥ୍‌ ନଂ. ୩୮ରେ ମତଦାନ ଚାଲିଥିବା ବେଳେ ସେଠାରେ ନିଯୁକ୍ତି ହୋଇଥିବା ଜାହ୍ନବୀ ସାହୁ ନାମକ ଜଣେ ମହିଳା ପୋଲିସ କର୍ମଚାରୀ ମାନବିକତା ଦେଖାଇଛନ୍ତି।

ବୁଥ୍‌ରେ ଭୋଟ ଦେବାକୁ ଆସୁଥିବା ଦିବ୍ୟାଙ୍ଗ, ଅସହାୟ ବୃଦ୍ଧାଙ୍କୁ ସେ ହୁଇଲ ଚେୟାରରେ ବସାଇ ମତଦାନ କେନ୍ଦ୍ରକୁ ନେଉଥିବା ଦେଖିବାକୁ ମିଳିଛି। ସେହିପରି ଜଣେ ବୃଦ୍ଧାଙ୍କୁ ମଧ୍ୟ କୋଳରେ ଉଠାଇ ମତଦାନ କେନ୍ଦ୍ରକୁ ନେଇଥିଲେ। ମହିଳା ପୋଲିସ କର୍ମଚାରୀଙ୍କ ଏପରି ମାନବିକତା କାର୍ଯ୍ୟ ପାଇଁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।