Categories: ଫୁରସତ

୩୦ ବର୍ଷ ଧରି ଖୋଲୁ ନ ଥିଲା ଏହି ମହିଳାଙ୍କ ମୁହଁ, ସଫଳ ଅପରେଶନ କଲେ ଡାକ୍ତର

ଦିଲ୍ଲୀର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଏକ ନିଆରା ଅପରେଶନ ହୋଇଛି। ଏହି ମହିଳାଙ୍କ ପାଟି ଦୀର୍ଘ ୩୦ ବର୍ଷ ଧରି ଖୋଲୁ ନ ଥିଲା। ତେବେ ଡାକ୍ତରମାନଙ୍କ ସଫଳ ଅପରେଶନ ପରେ ଏହା ସମ୍ଭବ ହୋଇପାରିଛି। ଆସ୍ଥା ମାଙ୍ଗିୟା ନାମକ ଜଣେ ମହିଳା ଦେଢ଼ ମାସ ପୂର୍ବେ ସାର୍‌ ଗଙ୍ଗାରାମ ହସ୍ପିଟାଲକୁ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗକୁ ଚିକତ୍ସା ପାଇଁ ଆସିଥିଲେ। ଆସ୍ଥା ଜନ୍ମଗତ ବ୍ୟାଧିରେ ପୀଡ଼ିତ ଥିଲେ। ତାଙ୍କ ମୁହଁ ଦୁଇ ପାର୍ଶ୍ୱରୁ ଖପୁରୀ ସହିତ ଯୋଡ଼ି ହୋଇଥିଲା। ଯେଉଁଥିପାଇଁ ସେ ପାଟି ଖୋଲି ପାରୁ ନ ଥିଲେ। କେବଳ ଏତିକି ନୁହେଁ, ସେ ଜିଭକୁ ବି ଆଙ୍ଗୁଠିରେ ଛୁଇଁ ପାରୁ ନ ଥିଲେ। ଏତେଦିନ ପର୍ଯ୍ୟନ୍ତ ଆସ୍ଥା କେବଳ ତରଳ ଖାଦ୍ୟ ଖାଇ ବଞ୍ଚିଥିଲେ। ପାଟି ନ ଖୋଲିବାକୁ ତାଙ୍କ ଦାନ୍ତରେ ସଂକ୍ରମଣ ହୋଇଥିଲା। ଫଳରେ ସେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ସବୁଠୁ ବଡ଼ ସମସ୍ୟା ହେଲା ତାଙ୍କର ପୂରା ଚେହେରା ଟ୍ୟୁମରରେ ଭରିଥିଲା। ଯେଉଁଥିପାଇଁ କୌଣସି ହସ୍ପିଟାଲ ତାଙ୍କର ଅପରେଶନ କରାଇବାକୁ ରାଜି ହେଉ ନ ଥିଲେ।

ସାର୍‌ ଗଙ୍ଗାରାମ ହସ୍ପିଟାଲର ସିନିୟର ପ୍ଲାଷ୍ଟିକ୍‌ ସର୍ଜନ ଡାକ୍ତର ରାଜୀବ ଆହୁଜା କହିଛନ୍ତି, ଆମେ ରୋଗୀଙ୍କୁ ଦେଖିବା ପରେ ଅସ୍ତ୍ରୋପଚାର ପାଇଁ କହିଥିଲୁ। ଏହି ଅପରେଶନ ବହୁ ଜଟିଳ ଏବଂ ଅତ୍ୟଧିକ ରକ୍ତସ୍ରାବ ମଧ୍ୟ ହୋଇପାରେ। ତେଣୁ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ପରିବାର ଲୋକଙ୍କୁ କହିଥିଲୁ। ପରେ ତାଙ୍କର ଆମେ ପ୍ଲାଷ୍ଟିକ୍‌ ସର୍ଜରୀ, ଭାସ୍କୁଲାର ସର୍ଜରୀ ଏବଂ ରେଡିଓଲୋଜି ବିଭାଗର ଏକ ଟିମ୍‌କୁ ଡାକି ଏହି ଅସ୍ତ୍ରୋପଚାର କରିଥିଲୁ। ଯାହା ସଫଳ ହୋଇଛି।

Share