କରୋନା ସମୟରେ ଚାଲିଗଲା ମହିଳାଙ୍କ ଚାକିରି, ଖୋଲିଲେ ଢାବା; ଏଠାରେ ୩୦ ଟଙ୍କାରେ ମିଳୁଛି ନାନା ବ୍ୟଞ୍ଜନ

ଲକ୍ଷ୍ନୌ,୧୭।୪: କରୋନା ମହାମାରୀ ଯୋଗୁ ଦେଶରେ ବହୁ ଲୋକ ବେରୋଜଗାର ହୋଇଛନ୍ତି। ପରିବାର ପ୍ରତିପୋଷଣ କରିବା ଅନେକଙ୍କ କ୍ଷେତ୍ରରେ କଷ୍ଟକର ହୋଇପଡୁଛି। ଯେଉଁ ଲୋକମାନଙ୍କର ଚାକିରି ଚାଲିଯାଇଛି ସେମାନେ ଜୀବନ ଜୀବିକାକୁ ନେଇ ସଂଘର୍ଷ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଏବେ ସେମିତି ଜଣେ ମହିଳାଙ୍କ ସଂଘର୍ଷ ଜୀବନ କାହାଣୀ ଭାଇରାଲ ହେଉଛି। ଜାଣନ୍ତୁ ଏ ସମ୍ପର୍କରେ…

ଦେଶରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଉତ୍ତରପ୍ରଦେଶର କାନପୁରରେ ରହୁଥିବା ଇନ୍ଦୁ ନାମକ ଜଣେ ମହିଳାଙ୍କ ଜୀବନ ବଦଳାଇ ଦେଇଛି। କରୋନାରେ ଇନ୍ଦୁଙ୍କ ଚାକିରି ଚାଲିଗଲା। କିନ୍ତୁ ଏଥିରେ ସେ ହାରି ନ ଯାଇ ନିଜ ନାମରେ ଏକ ଢାବା ଖୋଲିଛନ୍ତି। ଧିରେ ଧିରେ ‘ଇନ୍ଦୁ ଢାବା’ଲୋକଙ୍କ ନିକଟରେ ପ୍ରସିଦ୍ଧ ହୋଇପାରିଛି। ଏହି ଢାବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଲୋକେ ବେଶ୍‌ ପ୍ରଶଂସା କରୁଛନ୍ତି। ଫଟୋରେ ଆପଣ ଯେଉଁ ଥାଳି ଦେଖୁଛନ୍ତି ସେଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ରହିଛି। ଭାତ, ରୁଟି, ରାଜ୍‌ମା, ରାଇତା ଏବଂ କଟା ପିଆଜ ଆଦି ରହିଛି। ଏହି ପୂରା ଥାଳିର ଦାମ୍‌ ମାତ୍ର ୩୦ ଟଙ୍କା। ଆଜିର ଏହି ମହଙ୍ଗା ଯୁଗରେ ଏତେ ଶସ୍ତାରେ ପୁଣି ଏତେ ଜିନିଷ ମିଳିବା କାଠିକର ପାଠ। କିନ୍ତୁ ଇନ୍ଦୁ ୩୦ ଟଙ୍କାରେ ଲୋକଙ୍କୁ ଦେଉଛନ୍ତି।

ଇନ୍ଦୁ ନାମକ ଟୁଇଟର ପେଜ୍‌ରେ ଥାଳିର ଫଟୋ ଶେୟାର କରାଯାଇଛି। ଯେଉଁଥିରେ କ୍ୟାପଶନ ଲେଖାଯାଇଛି, ‘ମୋ ଚାକିରି ଚାଲିଗଲା। ମୁଁ ନିଜ କାମ ଆରମ୍ଭ କଲି। ଇନ୍ଦୁ ଢାବାରେ ଥାଳି କେବଳ ୩୦ ଟଙ୍କାରେ। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି। ସମସ୍ତେ ଇନ୍ଦୁ ଢାବାର ପ୍ରଶଂସା କରୁଛନ୍ତି। ଏବେ ସୁଦ୍ଧା ଏହି ଫଟୋକୁ ୪୦୦୦୦ ଲୋକ ଲାଇକ୍‌ କରିସାରିଲେଣି। କିଛି ଲୋକ ଏହାକୁ ରିଟୁଇଟ୍‌ ମଧ୍ୟ କରିଛନ୍ତି। ଏଥିସହିତ ଲୋକେ ମଜାଳିଆ କମେଣ୍ଟ ବି ସବୁ ଦେଉଛନ୍ତି।

Share