ଗର୍ଭବତୀ ମହିଳାଙ୍କ ପେଟରୁ ଶିଶୁ ଚୋରି

ଅପରାଧ ଦୁନିଆରେ ଜଡିତ ଲୋକଙ୍କ ମନରେ ଭିନ୍ନ ପ୍ରକାରର ଚିନ୍ତାଧାରା ଚାଲିଥାଏ। ସେମାନଙ୍କ ଭିତରେ ଅନୁଭବ ବୋଲି କିଛି ନ ଥାଏ। ଏମିତି ଏକ ଭୟଙ୍କର ଅପରାଧ ବ୍ରାଜିଲରେ ଘଟିଛି। ଜଣେ ମହିଳା ନିଜ ସନ୍ତାନକୁ ହରାଇବା ପରେ ନିଜର ବନ୍ଧୁଙ୍କ ପେଟରୁ ତାଙ୍କ ପିଲାକୁ ଚୋରି କରିବାକୁ ଚେଷ୍ଟା କରିଥିଲେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
୨୮ ବର୍ଷୀୟା ରୋଜଲବା ଗ୍ରିମ ଏବଂ ୨୪ ବର୍ଷୀୟା ଫ୍ଲାବିଆ ଭଲ ବନ୍ଧୁ ଥିଲେ। ଉଭୟ ଏକାସାଙ୍ଗରେ ଗର୍ଭବତୀ ହେଲେ। କିନ୍ତୁ କୌଣସି କାରଣରୁ ରୋଜଲବା ପେଟରେ ନିଜ ପିଲାକୁ ହରାଇଲେ। ଏହା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଲେ। ଏହି ସମୟରେ ବନ୍ଧୁ ହିସାବରେ ଫ୍ଲାବିଆ ତାଙ୍କ ସହ କଥାବାର୍ତ୍ତା ହୋଇ ଦୁଃଖ ବାଣ୍ଟୁଥିଲେ। ହେଲେ ରୋଜଲବାଙ୍କ ମନରେ ଚାଲିଥିଲା ଆଉ କିଛି। ରୋଜଲବା ଫ୍ଲାବିଆଙ୍କ ପାଇଁ ଗତ ଅଗଷ୍ଟ ୨୭ ତାରିଖରେ ବେବି ଶାଓ୍ବର ରଖିଥିଲେ। ହେଲେ ଫ୍ଲାବିଆ ଯେତେବେଳେ ଉକ୍ତ ସମାରୋହରେ ପହଞ୍ଚିଥିଲେ ଦେଖିଲେ ସେଠାରେ କେହି ହେଲେ ନାହାନ୍ତି। ଏହି ସମୟରେ ରୋଜଲବା ଫ୍ଲାଭିଆଙ୍କୁ ହତ୍ୟା କଲେ। ପରେ ତାଙ୍କ ପେଟକୁ ଏକ ଛୁରିରେ କାଟି ଶିଶୁକୁ ବାହାର କଲେ। କିଛି ସମୟ ପରେ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା। ତେଣୁ ସେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ସେଠାରେ ସେ ଉକ୍ତ ଶିଶୁକୁ ନିଜ ପିଲା ବୋଲି ପରିଚୟ ଦେଉଥିଲେ। ମାତ୍ର ତାଙ୍କ କଥାରେ ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚିବା ପରେ ରୋଜଲବା ସବୁ କଥା ସ୍ବିକାର କରିଥିଲେ।
ରୋଜଲବା ନିଜ ସନ୍ତାନକୁ ହରାଇବା ପରେ ଏହି କଥାକୁ ନିଜ ପରିବାର ଠାରୁ ଲୁଚାଇ ରଖିଥିଲେ। ପରେ ସେ ବନ୍ଧୁ ଫ୍ଲାବିଆଙ୍କ ସନ୍ତାନକୁ ଚୋରି କରି ନିଜର କରିବେ ବୋଲି ଭାବିଥିଲେ। ମାତ୍ର ସେଥିରେ ସଫଳ ହୋଇପାରି ନ ଥିବା ପୋଲିସ ଆଗରେ ସ୍ବିକାର କରିଛନ୍ତି।

Share