ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା

କବିସୂର୍ଯ୍ୟନଗର, ୨୮ା୧୦(ଡି.ଏନ.ଏ.): ଅନ୍ଧବିଶ୍ୱାସକୁ ନେଇ ଅଶାନ୍ତ ହୋଇଉଠିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳ ଗଁା। ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ମିଳିତ ଭାବେ ୩ ପରିବାରର ଘରେ ପଶି ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ମହିଳା ହେଲେ ଯୁଧିଷ୍ଠିର ନାହାକଙ୍କ ସ୍ତ୍ରୀ ଝୁନୁ ନାହାକ (୫୦)। ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ପୋଲିସ ୨୦ ମହିଳା ଏବଂ ୧୩ ପୁରୁଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୨୨ରୁ ଊର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖିଛି। ଗିରଫ ଭୟରେ ମଧୁରଝୋଳ ଗଁା ପୁରୁଷଶୂନ୍ୟ ହୋଇଯାଇଥିବାବେଳେ ଗ୍ରାମରେ ଶାନ୍ତି ଫେରାଇ ଆଣିବା ଲାଗି ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯୁଧିଷ୍ଠିରଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୪୯୫/୨୨ରେ ଏକ ମାମଲା ରୁଜୁ କରିଛି। ଗ୍ରାମର ବହୁ ମହିଳା ଓ ପୁରୁଷମାନେ ଘରେ ପଶି ଝୁନୁଙ୍କୁ ହତ୍ୟା କରିଥିବା ସ୍ବାମୀ ଯୁଧିଷ୍ଠିର, ପୁଅ ଯୋଗେଶ୍ୱର ଓ ସାଗର ଗଣମାଧ୍ୟମକୁ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ମାସକ ତଳେ ମଧୁରଝୋଳ ଗ୍ରାମରେ ୫ରୁ ଊର୍ଦ୍ଧ୍ୱ ପିଲାଙ୍କ ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଶିଶୁଙ୍କ ମୃତ୍ୟୁ ଘଟିଛି, ତାହାର କାରଣ ଜାଣିବା ଲାଗି ଗ୍ରାମରେ ସଭା ବସି ‘ଖଟବିଦ୍ୟା’ର ସହାୟତା ନେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଗଁାରେ ଖଟ ବୁଲିବା ପୂର୍ବରୁ ପୋଲିସ ଏହାକୁ ଭଣ୍ଡୁର କରିଦେଇଥିଲା। କିଛିଦିନ ତଳେ ଗ୍ରାମର ଜଣେ ମହିଳାଙ୍କୁ ପ୍ରେତାତ୍ମା ଲାଗିଥିବାବେଳେ ଗୁଣିଗାରେଡ଼ି ଯୋଗୁ ପିଲାଙ୍କ ମୃତ୍ୟୁ ହେଉଥିବା ସେ କହିଥିଲେ। ଯୁଧିଷ୍ଠିର ନାହାକ, ରାଜେନ୍ଦ୍ର ନାହାକ, ବିଷ୍ଣୁ ନାହାକ, ମହେଶ୍ୱର ନାହାକ ଗୁଣିଗାରେଡ଼ିରେ ସମ୍ପୃକ୍ତି ଥିବା ସମ୍ପୃକ୍ତ ମହିଳା ଦର୍ଶାଇଥିଲେ, ଯାହାକୁ ଗ୍ରାମବାସୀ ବିଶ୍ୱାସ କରିନେଇଥିଲେ। ହେଲେ ଯୁଧିଷ୍ଠିର, ବିଷ୍ଣୁ ଓ ମହେଶ୍ୱର ବାହାର ଦେଶରେ ରହି କାମ କରୁଥିବାରୁ ଗ୍ରାମବାସୀ ତତ୍କାଳ କୌଣସି ପଦକ୍ଷେପ ନେଇ ପାରି ନ ଥିଲେ ହେଁ ସେମାନଙ୍କ ମନରେ ଏହାକୁ ନେଇ ଆକ୍ରୋଶ ତେଜିଥିଲା। କିଛିଦିନ ତଳେ ଯୁଧିଷ୍ଠିର ଓ ବିଷ୍ଣୁ ଗଁାକୁ ଫେରିଥିଲେ। ତେବେ ଗ୍ରାମରେ ଲାଗି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ମହେଶ୍ୱର ଆସିବାକୁ ରାଜି ହୋଇ ନ ଥିଲେ। ପ୍ରେତାତ୍ମା ଲାଗିଥିବା ମହିଳାଙ୍କ କଥାକୁ ନେଇ ଗ୍ରାମର ଗୁଡ଼ୁ ନାହାକ ଗତ ମଙ୍ଗଳବାର ଯୁଧିଷ୍ଠିରଙ୍କୁ ନିସ୍ତୁକ ପିଟିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ଏ ସଂକ୍ରାନ୍ତରେ ସେ ବାଲିଛାଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଗୁଡ଼ୁଙ୍କୁ ଥାନାକୁ ଡକାଇବାରୁ ବୁଧବାର ସନ୍ଧ୍ୟାରେ ଗଁାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଗ୍ରାମବାସୀ ମିଳିତ ଭାବେ ଯୁଧିଷ୍ଠିର, ରାଜେନ୍ଦ୍ର ଓ ବିଷ୍ଣୁଙ୍କ ଘରକୁ ଯାଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଯୁଧିଷ୍ଠିର ଘରୁ ପଳାଇଥିବାବେଳେ ରାଜେନ୍ଦ୍ର ଓ ବିଷ୍ଣୁଙ୍କୁ ଧରି ନେଇଥିଲେ ଗ୍ରାମବାସୀ। ରାତି ପ୍ରାୟ ୧୦ଟାରେ ଉଭୟଙ୍କୁ ଗାଁ ମଣ୍ଡପକୁ ଆଣି ଦଉଡ଼ିରେ ବାନ୍ଧି ନିସ୍ତୁକ ପିଟି ଲହୁଲୁହାଣ କରିଦେଇଥିଲେ। କୌଣସି ସୂତ୍ରରୁ ସୂଚନା ପାଇ କବିସୂର୍ଯ୍ୟନଗର ବ୍ଲକ ଉପାଧ୍ୟକ୍ଷ ବୀରେନ୍ଦ୍ର ଖଟେଇ ତାଙ୍କ ସହଯୋଗୀଙ୍କ ସହ ପହଞ୍ଚତ୍ଥିଲେ। ବ୍ଲକ ଉପାଧ୍ୟକ୍ଷଙ୍କ ଅନୁରୋଧକ୍ରମେ ଗ୍ରାମବାସୀ ଦୁଇ ଜଣଙ୍କୁ ଛାଡ଼ିଥିଲେ। ରାଜେନ୍ଦ୍ର ସେଠାରୁ ଖସିଆସି କବିସୂର୍ଯ୍ୟନଗର ପୋଲିସ ସହାୟତାରେ ଆସିକା ଉପଖଣ୍ଡ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଇତିମଧ୍ୟରେ ଝୁନୁଙ୍କ ମୃତ୍ୟୁ ହୋଇଯାଇଥିଲା।
ଏହି ଘଟଣାକୁ ଚପାଇ ଦେବାକୁ ଗ୍ରାମବାସୀ ରାସ୍ତାରେ କାଠ ଗଣ୍ଡି ପକାଇ ଅବରୋଧ କରିଥିଲେ। ଅସ୍ତ୍ରଶସ୍ତ୍ର ଧରି ଜଗି ରହିବାସହ କାହାରିକୁ ଗାଁ ଭିତରକୁ ପୂରାଇ ଦେଇ ନ ଥିଲେ। ମଧ୍ୟରାତିରେ ଗ୍ରାମରେ ଏକ ସଭା ମଧ୍ୟ ବସିଥିଲା। ତେବେ ରାତି ପ୍ରାୟ ସାଢ଼େ ୨ଟାରେ ପୋଲିସ ଗ୍ରାମରେ ଚଢ଼ାଉ କରି ୯ ଜଣଙ୍କୁ ଧରି ଥାନାକୁ ଆଣିଥିଲା। ବିଷ୍ଣୁଙ୍କୁ ଉଦ୍ଧାର କରିବା ବେଳକୁ ଗ୍ରାମବାସୀଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଗୁରୁବାର ସକାଳେ ପୁଣି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ବାହାର ଲୋକଙ୍କୁ ଗ୍ରାମବାସୀ ଗାଁକୁ ଭିତରକୁ ଛାଡ଼ି ନ ଥିଲେ। ପୁରୁଷୋତ୍ତମପୁର ଏସଡିପିଓ ରଜନୀକାନ୍ତ ସାମଲ, କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ, କୋଦଳା ଆଇଆଇସି ଉମାକାନ୍ତ ସାହୁ, ପୋଲସରା ଆଇଆଇସି ଜିତେନ୍ଦ୍ର ମଲ୍ଲିକ, ବାଲିଛାଇ ଫାଣ୍ଡି ଅଧିକାରୀ ସୁଜିତ କୁମାର ରାଉତ, ପୁରୁଷୋତ୍ତମପୁର ଆଇଆଇସି ପ୍ରିୟାଂଶୁ ଛୋଟରାୟ ୪ ପ୍ଲାଟୁନ ପୋଲିସ ଫୋସ ସହ ମଧ୍ୟାହ୍ନରେ ଗାଁରେ ଚଢ଼ାଉ କରି ୫୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଥାନାକୁ ଆଣିଥିଲେ। ଏସବୁ ସତ୍ତ୍ୱେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୋଲିସ ହସ୍ତକ୍ଷେପ ପରେ ଝୁନୁଙ୍କ ମୃତଦେହ ବ୍ୟବଚ୍ଛେଦ ଲାଗି ଆସିକା ପଠାଯାଇଛି। ସୁରକ୍ଷା ଦୃଷ୍ଟିରୁ ଯୁଧିଷ୍ଠିର, ବିଷ୍ଣୁ ବାଲିଛାଇ ଫାଣ୍ଡିରେ ଅଛନ୍ତି। ରାଜେନ୍ଦ୍ର ଆସିକା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ବୈଜ୍ଞାନିକ ସଚେତନତା ସୃଷ୍ଟିର ବ୍ୟବସ୍ଥା ନାହିଁ
ଘଟଣା ସମ୍ପର୍କରେ ହେତୁବାଦୀ ସୁଧାଂଶୁଶେଖର ଧଡ଼ା କହିଛନ୍ତି ଯେ, ଗୁଣିଗାରେଡ଼ି ଏକ ପ୍ରାଚୀନ ବିଶ୍ୱାସ, ଯାହାର କି କୌଣସି ଆଧାର ନାହିଁ। ଏଭଳି ବିଶ୍ୱାସରେ କ୍ଷତିଗ୍ରସ୍ତ ହେଉଥିବା ଲୋକ ମାନସିକ, ଶାରୀରିକ ଭାବେ ତଥା ଆର୍ଥିକ ଦୃଷ୍ଟିରୁ ମଧ୍ୟ ଦୁର୍ବଳ ଥାଏ। ଗୁଣିଗାରେଡ଼ି ତଥା ତନ୍ତ୍ରମନ୍ତ୍ରଜନିତ ଅପରାଧ ଏବଂ ହତ୍ୟାକାଣ୍ଡ ତଥା ଅପମୃତ୍ୟୁ ରାଜ୍ୟରେ ପ୍ରତିବର୍ଷ ୫୦/୬୦ଟି ଘଟଣା ଘଟୁଛି। ଏ ସମ୍ପର୍କିତ ଅପରାଧ ଅଶିକ୍ଷା, ଅଜ୍ଞତା ଓ ଅ-ସ୍ବାସ୍ଥ୍ୟ ଜନିତ କାରଣରୁ ହେଉଥିବା ଦେଖାଯାଉଛି। ହେତୁବାଦୀମାନଙ୍କ ଦ୍ୱାରା ଅଲୌକିକ ଅନାବରଣ କାର୍ଯ୍ୟକ୍ରମ କରାଯାଇ ଗୁଣିଗାରେଡ଼ି ବିରୋଧରେ ସଚେତନତା ସୃଷ୍ଟି କରାଯାଉଥିବା ସ୍ଥଳେ ସରକାରୀ ଭାବରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ହେବା ଉଚିତ୍‌। ଫଳରେ ଲୋକମାନଙ୍କ ମନରୁ ଭୁଲ ଧାରଣା ଦୂର ହୋଇ ଏ ସମ୍ପର୍କିତ ଅପରାଧ ମଧ୍ୟ କମିଯାଇ ପାରନ୍ତା। ଓଡ଼ିଶା ଗୁଣିଗାରେଡ଼ି ନିରୋଧ ଆଇନ-୨୦୧୩ କାର୍ଯ୍ୟକାରୀ ହେବା ପରଠାରୁ ଗୁଣିଗାରେଡ଼ି ସମ୍ପର୍କିତ ହତ୍ୟାକାଣ୍ଡରେ କୌଣସି ପରିବର୍ତ୍ତନ ହୋଇ ନ ଥିଲେ ବି ଲୋକମାନେ ପୂର୍ବାପେକ୍ଷା ସଚେତନ ହେଲେଣି। ଅପରପକ୍ଷେ ଓଡ଼ିଶା ଗୁଣିଗାରେଡ଼ି ନିରୋଧ ଆଇନରେ ଦଣ୍ଡବିଧାନ ବ୍ୟବସ୍ଥା ଅଛି। କିନ୍ତୁ ବୈଜ୍ଞାନିକ ସଚେତନତା ସୃଷ୍ଟିର ବ୍ୟବସ୍ଥା ନାହିଁ। ଏଥିପାଇଁ ଏକ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ଅଛି। ଅନ୍ଧବିଶ୍ୱାସକୁ ନେଇ ବିଭିନ୍ନ ଅପରାଧ ଘଟୁଥିବା ଅଞ୍ଚଳରେ ଗୁଣିଗାରେଡ଼ି ବିରୋଧରେ ସଚେତନତା ସୃଷ୍ଟି କରାଗଲେ ଏ ପ୍ରକାର ଅପରାଧ ଓ ହତ୍ୟାକାଣ୍ଡ ବହୁ ପରିମାଣରେ କମିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri