ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼,୨୦।୧୦(ଡି.ଏନ୍‌.ଏ): ସୁନ୍ଦରଗଡ଼ ବନଖଣ୍ଡର ଉଜ୍ଜଳପୁର ବନାଞ୍ଚଳ ଅନ୍ତର୍ଗତ କୁଳବା ଗ୍ରାମରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ସେହି ଗାଁର ରେଣୁକା ସାହୁ (୫୫)। ସେ ଭୋରରୁ ଶୌଚ ପାଇଁ ପାଖ ବିଲକୁ ଯାଉଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିସହ କୁଲବା ଗ୍ରାମ ଠିନଠିନିଗୁଡାର ଜଣେ ଯୁବକ ବିନୋଦ ଲୁହୁରାଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ବନବିଭାଗ ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ହାତୀକୁ ଘଉଡାଇବାର ବନ୍ଦୋବସ୍ତ କରିବା ସହ ମୃତକଙ୍କ ପରିବାରକୁ ଭେଟିଛନ୍ତି।