କେନ୍ଦୁଝର,୩୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ଅଞ୍ଚଳରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ନାମ ଲାବଣ୍ୟ ପଲେଇ ଏବଂ ଆହତଙ୍କ ନାମ ଯଦୁ ପଲେଇ, ଉଭୟ ତେଲକୋଇ ଥାନା ଅନ୍ତର୍ଗତ ଉଦୟଗିରି ଗ୍ରାମର ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ, ବନ ବିଭାଗ ପକ୍ଷରୁ ସୁରକ୍ଷା ମିଳୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଲାଗି ରହିଛି।
ତେଲକୋଇ ବନାଞ୍ଚଳ ରେଞ୍ଜର ରେଞ୍ଜ ଅଧିକାରୀ ଶିବାଜୀ ମୋହନ ରାଓ କହିଛନ୍ତି ଯେ “ବହୁ ସଚେତନତା ଏବଂ ସତର୍କତା ସତ୍ତ୍ୱେ, ଲୋକମାନେ ମାନୁ ନାହାନ୍ତି। ଯାହା ପାଇଁ ଏଭଳି ଘଟଣା ଘଟିଛି। ନିୟମ ଅନୁଯାୟୀ ମୃତକଙ୍କ ପାଇଁ କ୍ଷତିପୂରଣ ଦିଆଯିବ। ଆହତଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଆମେ ହାତୀ ପଲକୁ ମଣିଷ ବସତିରୁ ଜଙ୍ଗଲ ଅଞ୍ଚଳକୁ ଘଉଡ଼ାଇବାକୁ ଚେଷ୍ଟା କରୁଛୁ। ହାତୀକୁ ଟ୍ରାକ୍ କରିବା ଏବଂ ଗ୍ରାମବାସୀଙ୍କୁ ସତର୍କ କରିବା ପାଇଁ ହାତୀ ଡ୍ରାଇଭିଂ ସ୍କ୍ବାଡ୍ ନିୟୋଜିତ କରାଯାଇଛି”।


