Categories: ଫୁରସତ

ସ୍ବାମୀଙ୍କ ସହ ଝଗଡ଼ା ଲାଗିବା ପରେ ନଅ ମହଲାରୁ ଡେଇଁ ପଡ଼ିଲେ ସ୍ତ୍ରୀ, ତଳେ ଲୋକ ବିଛାଇଲେ ଗଦି; ଆଉ ତା’ ପରେ…

ଗାଜିଆବାଦ,୧୬।୭: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଝଗଡ଼ା ଲାଗୁଥିଲେ। ଏହା ଏତେ ବଢ଼ିଯାଇଥିବା ଯେ ସେ କୋଠାର ନବମ ମହଲାରୁ ତଳକୁ ଡେଇଁପଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାଜଣଙ୍କ ରେଲିଂରୁ ଡେଇଁବା ମାତ୍ରେ ସ୍ବାମୀ ତାଙ୍କ ହାତ ଧରି ସହାୟତା ପାଇଁ ଚିତ୍କାର କରୁଥିବା ଭିଡିଓରେ ଦେଖାଯାଇଛି।

ଘଟଣାଟି ବିଜୟାନଗରର କ୍ରସିଂ ରିପବ୍ଲିକରେ ଥିବା ସେଭିୟର ସୋସାଇଟି ଅଞ୍ଚଳର। ଏଠାରେ ନବମ ମହଲାରେ ରହୁଥିବା ଜଣେ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଧିରେ ଧିରେ ଯୁକ୍ତିତର୍କ ବଢ଼ିବା ପରେ ସ୍ତ୍ରୀ ତଳକୁ ଡେଇଁ ପଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ ସ୍ବାମୀ ତାଙ୍କ ହାତ ଧରି ପାଟି କରିଥିଲେ। ଏହାପରେ ସୋସାଇଟିର ଅନ୍ୟମାନେ ଘରୁ ବାହାରକୁ ଆସିଥିଲେ। ଏହି ସମୟରେ ସେମାନେ ନିଜ ଘରୁ ଗଦି ବାହାର କରି ତଳେ ପକାଇଥିଲେ। ସେତେବେଳେ ସ୍ବାମୀ ସ୍ତ୍ରୀଙ୍କୁ ରେଲିଂ ଉପରକୁ ଟାଣିବାକୁ ଚେଷ୍ଟା କରିଥିଲେ। ପ୍ରାୟ ଅଧା ଘଣ୍ଟା ଧରି ଏପରି କରିବା ସତ୍ତ୍ୱେ ବିଫଳ ହୋଇଥିଲେ। ହାତ ଖସିଯିବା ପରେ ସ୍ତ୍ରୀ ଉକ୍ତ ଗଦି ଉପରେ ପଡ଼ିଥିଲେ। ଫଳରେ ସେ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ। ହେଲେ ସେ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଲିସ ଏହି ଘଟଣାରେ ଏଯାବତ କୌଣସି ମାମଲା ପଞ୍ଜିକରଣ କରିନାହିଁ। ତେବେ ଫରାଜ ହାସନ ସ୍ତ୍ରୀ ନାଦିଆଙ୍କ ସହ ନବମ ମହଲାରେ ରହୁଥିଲେ। ମଙ୍ଗଳବାର ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଏହାପରେ ସ୍ତ୍ରୀ ଏହି ପଦକ୍ଷେପ ନେଇଥିବା ପୋଲିସ କହିଛି।

Share