ଅପହୃତ ଜୁନିୟର ଇଞ୍ଜିନିୟରଙ୍କୁ ଜଙ୍ଗଲରେ ଖୋଜୁଛନ୍ତି ସ୍ତ୍ରୀ

ମାଲକାନଗିରି,୧୪ା୧୧(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ତାଙ୍କୁ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ଫେଲ୍‌ ମାରିବା ପରେ ସ୍ବାମୀଙ୍କୁ ମାଓବାଦୀଙ୍କ କବଳରୁ ମୁକୁଳାଇବା ପାଇଁ ଜଙ୍ଗଲ ଅଭିମୁଖେ ସାଙ୍ଗରେ ଛୋଟ ପୁଅକୁ ଧରି ବାହାରିଛନ୍ତି ସ୍ତ୍ରୀ ା

ଖବରରୁ ଜଣାପଡିଛି, ବିଜାପୁର ଜିଲାର ମନକେଲି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାର୍ଯ୍ୟ ତଦାରଖ ଲାଗି କନିଷ୍ଠ ଯନ୍ତ୍ରୀ ଅଜୟ ରୋଶନ ଲାକ୍ରାଙ୍କ ସହ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଲକ୍ଷ୍ମଣ ପିତାଗିରି ଯାଇଥିଲେ। ସେହି ଅଞ୍ଚଳରୁ ମାଓବାଦୀମାନେ ଏହି ଦୁଇ କର୍ମଚାରୀଙ୍କୁ ଗୁରୁବାର ଅପହରଣ କରି ନେଇଥିଲେ। ପରବର୍ତ୍ତୀ ସମୟରେ ଏକ ପ୍ରଜାକୋର୍ଟ କରି ଲକ୍ଷ୍ମଣଙ୍କୁ ମାଓବାଦୀମାନେ ଛାଡି ଦେଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଲାକ୍ରାଙ୍କୁ ଛାଡି ନ ଥିଲେ। ଦୁଇଦିନ ବିତି ଯାଇଥିଲେ ମଧ୍ୟ ଏ ଦିଗରେ କେବଳ ରାସ୍ତା ବିଭାଗ କର୍ମଚାରୀମାନେ ତପତ୍ରତା ଦେଖାଉଥିବା ବେଳେ ପୋଲିସ ପ୍ରଶାସନ ଓ ଜିଲା ପ୍ରଶାସନ କୌଣସି ତପତ୍ରତା ଦେଖାଉ ନ ଥିବା ଅଭିଯୋଗ ହୋଇଛି। ଏହାକୁ ଦୃଷ୍ଟିରେ ରଖି କନିଷ୍ଠ ଯନ୍ତ୍ରୀଙ୍କ ସ୍ତ୍ରୀ ଅର୍ପିତା ଲାକ୍ରା ତାଙ୍କ ତିନିବର୍ଷର ଶିଶୁକୁ କୋଳରେ ଧରି ସ୍ବାମୀଙ୍କ ସନ୍ଧାନରେ ଜଙ୍ଗଲ ଅଭିମୁଖେ ବାହାରିଛନ୍ତି। ମାଓବାଦୀଙ୍କ ନିକଟରେ ସ୍ବାମୀଙ୍କ ସିନ୍ଦୂର ଭିକ୍ଷା କରି ତାଙ୍କୁ ମୁକୁଳାଇ ଆଣିବାକୁ ସେ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଜଣେ ସିଆର୍‌ପିଏଫ୍‌ ଯବାନ ରାକେଶ ସିଂ ମନହରଙ୍କୁ ଏବଂ ସୁକୁମା ଜିଲାପାଳ ଏଲ.ଏକ୍ସ ପଲ୍‌ ମେନନଙ୍କୁ ମଧ୍ୟ ମାଓବାଦୀମାନେ ଅପହରଣ କରିନେଇଥିଲେ।