ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ ସୂଚନା ଦେଇଛି। ଚରଥାୱାଲ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ଶନିବାର ଏହି ଜଘନ୍ୟ କାଣ୍ଡ ଘଟିଛି। ପୀଡ଼ିତା ମହିଳା ଜଣକ ଶନିବାର ବିଲକୁ ଗୋଖାଦ୍ୟ (ଘାସ) ସଂଗ୍ରହ କରିବାକୁ ଯାଇଥିବାବେଳେ ଏହି ଅଘଟଣର ଶିକାର ହୋଇଥିଲେ। ମହିଳା ଜଣକ ସଞ୍ଜ ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ପରେ ଗ୍ରାମ ନିକଟ ଏକ ଜଙ୍ଗଲ ଅଞ୍ଚଳରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ମୁଜାଫରନଗର ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସ୍ଏସ୍ପି) ସଞ୍ଜୟ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମୁଖ୍ୟ ଅଭିଯୁକ୍ତ ଉମର ଏବଂ ତାଙ୍କ ଅନ୍ୟ ସହଯୋଗୀମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଏସ୍ଏସ୍ପି ସୂଚନା ଦେଇଛନ୍ତି।