ଯୋଡ଼ା,୪।୩(ମାନସ ମହାନ୍ତି) : କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ମାଘେ ପର୍ଵ ସମୟ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର ଦିନ ୨ ଜଣଙ୍କୁ ଗିରଫ କରାଯିବା ନେଇ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ବିଳେଇପଦା ଅଞ୍ଚଳର ସୁକଲାଲ ମୁଣ୍ଡା ବୟସ(୪୪)ଏବଂ ଶିଆଲ ଯୋଡ଼ାର ବାସୁଦେବ ଗାଗରାଇ ବୟସ(୩୪)ବୋଲି ଜଣାପଡିଛି ।
ସୂଚନା ମୁତାବକ, ଗତ ୨୦ ଫେବୁଆରୀ ମାସରେ ପୀଡିତା ତାଙ୍କ ଛୁଆଙ୍କ ସହ ବିଲେଇପଦା ଭାଗଲପୁର ଗ୍ରାମରେରେ ଚାଲିଥିବା ମାଘେ ପର୍ଵର ଆଦିବାସୀ ପାରମ୍ପରିକ ନୃତ୍ୟ ଦେଖିବା ପାଇଁ ଯାଇଥିଲେ । ତେବେ ରାତି ପ୍ରାୟ ୯ ଘଟିକା ସମୟରେ ଅଭିଯୁକ୍ତ ବାସୁଦେବ ଘରକୁ ଛାଡ଼ିଦେବି କହି ପୀଡିତା ମହିଳା ଏବଂ ତାଙ୍କ ଛୁଆଙ୍କୁ ମୋଟରସାଇକେଲରେ ଜୋର ଜବରଦସ୍ତ ବସେଇଥିଲେ । ହେଲେ ଘରକୁ ନନେଇ ଗବର୍ଦ୍ଧନପୁର ଗ୍ରାମର ରାସ୍ତା ପାର୍ଶ୍ୱରେ ଥିବା ଏକ ମହୁଲ ଗଛ ନିକଟରେ ଅଭିଯୁକ୍ତ ବାସୁଦେବ ମହିଳାଙ୍କ ସହ ବଳାତ୍କାର କରିଥିଲେ ।
ଯାହାର କିଛି ସମୟ ପରେ ଅନ୍ୟ ଅଭିଯୁକ୍ତ ଶୁକଲାଲ ମୁଣ୍ଡା ସେହି ସ୍ଥାନରେ ପହଞ୍ଚି ମହିଳାଙ୍କୁ ବଳାତ୍କାର କରିଥିଲେ । ଅଭିଯୁକ୍ତମାନେ ଉତ୍ତେଜିତ ହୋଇ ପୀଡିତାଙ୍କ ଗାଲରେ ଜୋରରେ କାମୁଡିବା ଫଳରେ ତାଙ୍କୁ ଆଘାତ ଲାଗି ଗାଲ ଫୁଲି ଯାଇଥିଲା। ବଳାତ୍କାର ପରେ ଅଭିଯୁକ୍ତ ବାସୁଦେବ ପୀଡିତା ମହିଳାଙ୍କୁ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାର ଧମକ ଦେଇ ସେଠାରୁ ପଳେଇ ଯାଇଥିଲେ। ଯାହାଫଳରେ ପୀଡିତା ଭୟଭୀତ ଆବସ୍ଥାରେ ଘରକୁ ଫେରି ଏସମ୍ପର୍କରେ କାହାକୁ କିଛି କହିନଥିଲେ । ଘଟଣାର କିଛି ଦିନ ପରେ ପୀଡିତାଙ୍କ ସ୍ୱାମୀ ଗାଲରେ ଆଘାତ ଲାଗିବାର କାରଣ ବାରମ୍ବାର ପଚାରିବାରୁ ସେ ସବୁ ସତକଥା ନିଜ ସ୍ୱାମୀଙ୍କୁ କହିଥିଲେ ।
ତାପରେ ପୀଡିତା ମହିଳା ଏବଂ ତାଙ୍କ ସ୍ବାମୀ ମିଳିତ ଭାବେ ଯୋଡ଼ା ଥାନରେ ଏ ସଂକ୍ରାନ୍ତରେ ମାର୍ଚ୍ଚ ୩ ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନମ୍ବର ୭୮/୨୭ ମାମଲା ରୁଜ୍ଜୁ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ସୂଚନା ଦେଇଛନ୍ତି ।

