ନଦୀସୁଅରେ ଭାସିଗଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ତେଲକୋଇ ଥାନା ଅଧୀନ ତେଲକୋଇ ତଳସାହି ସତ୍‌ସଙ୍ଗ ସମାକୋଈ ନଦୀଘାଟରେ ପାର୍‌ ହେଉଥିଲା ବେଳେ ଜଣେ ମହିଳା ନଦୀସୁଅରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ମହିଳା ଜଣକ ତଳସାହିର ପ୍ରଭାକର ହେହୁରୀଙ୍କ ସ୍ତ୍ରୀ ସରୋଜିନୀ (୫୦) ବୋଲି ଜଣାପଡ଼ିଛି। ନଦୀରେ ଜଳସ୍ରୋତ ଅଧିକ ଥିବାରୁ ଦୂରକୁ ଭାସି ଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ତେଲକୋଇ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଗୁରୁବାର ତେଲକୋଇ ତଳସାହିରେ ଲକ୍ଷ୍ମୀପୂଜା ଆରମ୍ଭ ହେବ। ପୂଜା ପାଇଁ ଶାଳପତ୍ରର ଆବଶ୍ୟକତା ଥିବାରୁ ସାହିର ଅନ୍ୟ ୩ ଜଣ ମହିଳାଙ୍କ ସହିତ ସରୋଜିନୀ ନଦୀ ସେପାଖେ ଥିବା ଜଙ୍ଗଲକୁ ଶାଳପତ୍ର ସଂଗ୍ରହ ପାଇଁ ଯାଇଥିଲେ। ଫେରିଲାବେଳେ ନଦୀରେ ପାଣି ବଢ଼ିଥିଲା। ଗୋଡ଼ ଖସିଯିବାରୁ ସୁଅରେ ଭାସି ଯାଇଥିଲେ। ଅନ୍ୟ ୩ଜଣ ମହିଳା ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ।

ସୂଚନାଯୋଗ୍ୟ, ୫ ଦିନ ତଳେ ବଂଶପାଳ ବ୍ଲକ ଅନ୍ତର୍ଗତ କେନ୍ଦୁଘଟି ଗ୍ରାମର ଜଣେ ବ୍ୟକ୍ତି ବୈତରଣୀ ନଦୀ ପାର୍‌ ହୋଇ ଘରକୁ ଯାଉଥିବା ବେଳେ ପାଣିରେ ଭାସି ଯାଇଥିଲେ। ୩ଦିନ ପରେ ମୃତଦେହ ବାମେବାରୀ ଥାନା ଅଞ୍ଚଳ ନଦୀରୁ ଉଦ୍ଧାର ହୋଇଥିଲା।