Categories: ଫୁରସତ

ହନିମୁନ ଯିବା ପାଇଁ ଲୋକଙ୍କୁ ଏମିତି ଠକିଲେ ଯୁବତୀ

ସ୍ବପ୍ନର ବିବାହ କରିବା ପାଇଁ ଜଣେ ଯୁବତୀ ଏମିତି ନାଟକ କରିଛନ୍ତି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଗୁରୁତର କ୍ୟାନସର୍‌ ହୋଇଥିବା କହି ବନ୍ଧୁଙ୍କଠାରୁ ପ୍ରାୟ ୮ ଲକ୍ଷ ୩୬ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ ଯୁବତୀ। ଏହି ଟଙ୍କାରେ ସେ ହନିମୁନ ଯାଇଥିଲେ। ତେବେ ସେ କ୍ୟାନ୍ସର୍‌ ହୋଇଥିବା ନାଟକ କରୁଥିବା ଜଣାପଡିଛି। ମିଛ ଧରାପଡିବା ପରେ ଏବେ ଯୁବତୀଙ୍କ ଜେଲ ହୋଇପାରେ। ୨୯ ବର୍ଷୀୟା ଏହି ଯୁବତୀ ଜଣଙ୍କ ସାଙ୍ଗମାନଙ୍କଠାରୁ ଟଙ୍କା ଠକିବା ପାଇଁ ଲଣ୍ଡା ମଧ୍ୟ ହୋଇଯାଇଥିଲେ। କ୍ୟାନସରର ରୋଗର ଶିକାର ହୋଇ ଏକ ଖବରକାଗଜକୁ ସାକ୍ଷାତକାର ଦେଇଥିଲେ ସେ। ଯୁବତୀ ଜଣକ ସାକ୍ଷାତକାରରେ କହିଥିଲେ ଯେ କ୍ୟାନସର ତାଙ୍କ ମସ୍ତିଷ୍କ ଏବଂ ହାଡରେ ପ୍ରବେଶ କରିଛି। ଚଳିତ ବର୍ଷ ଜାନୁଆରୀରେ ଯୁବତୀ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ବଞ୍ଚିବାକୁ ମାତ୍ର ୨ ମାସ ବାକି ଅଛି। କ୍ୟାନସର ଖବର ଶୁଣିବା ପରେ ଯୁବତୀଙ୍କ ବନ୍ଧୁ ଅର୍ଥ ସଂଗ୍ରହ ପାଇଁ ଏକ ଅନଲାଇନ ଅଭିଯାନ ଆରମ୍ଭ କରିଥିଲେ। ଝିଅର ସାଙ୍ଗ ଏବଂ ଅନ୍ୟମାନେ ଟଙ୍କା ଦାନ ଦେଇଥିଲେ ଏବଂ ସମୁଦାୟ ୮ ଲକ୍ଷ ୩୬ ହଜାର ଟଙ୍କା ଜମା କରାଯାଇଥିଲା। ଇଂଲଣ୍ଡର ଚେଶାୟାରରୁ ଆସିଥିବା ଏହି ଯୁବତୀଙ୍କ ନାମ ଟୋନି ସ୍କାଣ୍ଡେନ। ୫୨ ବର୍ଷୀୟ ଜେମ୍ସଙ୍କୁ ବିବାହ କରିବା ପରେ ସେ ମଧ୍ୟ ହନିମୁନ ପାଇଁ ତୁର୍କୀ ଯାଇଥିଲେ। ଟୋନିଙ୍କ ପିତା ପ୍ରକୃତରେ ଜଣେ କ୍ୟାନସର ରୋଗୀ ଥିଲେ ଏବଂ ବିବାହର କିଛି ଦିନ ପୂର୍ବରୁ ସେ ମୃତ୍ୟୁ ବରଣ କରିଥିଲେ। ଏବେ ଟୋନିଙ୍କୁ ଠକେଇ ପାଇଁ ଜେଲ ଯିବାକୁ ପଡିପାରେ। ଗତ ସପ୍ତାହରେ ସେ କୋର୍ଟରେ ହୋଇଥିବା ଠକେଇକୁ ସ୍ବୀକାର କରିଥିଲେ। ତାଙ୍କ ସାଙ୍ଗମାନେ ଏହି ଘଟଣାକୁ ଏକ ବଡ ଠକେଇ ବୋଲି ବର୍ଣ୍ଣନା କରିଛନ୍ତି।

Share