ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ ୧ ଘଣ୍ଟା ସମୟରେ କନକ ଗାଁର ତିନିଜଣ ମହିଳାଙ୍କ ସହିତ ବିଶ୍ୱନାଥପୁର ବ୍ୟାଙ୍କକୁ ଯାଇଥିଲେ। କାମସାରି ଘରକୁ ଫେରୁଥିବା ସମୟରେ ବିରକାପଡା ନିକଟରେ ହଠାତ୍ ଝଡ଼ବର୍ଷା ସହ ବଜ୍ରପାତ ହେବାରୁ ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ସାଙ୍ଗରେ ଥିବା ମହିଳାମାନେ ଏ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚତ୍ ତାଙ୍କୁ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ। ଏ ନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୩/୨୬) ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମୃତା ମହିଳାଙ୍କ ଦୁଇଟି ପୁଅ ଥିବାବେଳେ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।