Categories: ଜାତୀୟ

ହେଲିକପ୍ଟରରୁ ଖସି ମହିଳାଙ୍କ ମୃତ୍ୟୁ

ରାଞ୍ଚତ୍, ୧୩ା୪: ଝାଡ଼ଖଣ୍ଡର ଦେଡଗଡ଼ ଜିଲା ତ୍ରିକୂଟ ପାହାଡ଼ରେ ଥିବା ଦେଶର ସର୍ବୋଚ୍ଚ ରୋପ୍‌ଓ୍ବେ ଦୁର୍ଘଟଣାରେ ଦୀର୍ଘ ୪୦ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ମଙ୍ଗଳବାର ସେଠାରେ ଫସି ରହିଥିବା ୧୫ ଯାତ୍ରୀଙ୍କ ମଧ୍ୟରୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ରେସ୍‌କ୍ୟୁ ଅପରେଶନବେଳେ ଭାରତୀୟ ବାୟୁସେନା (ଆଇଏଏଫ୍‌) ହେଲିକପ୍ଟରରୁ ଜଣେ ୬୦ ବର୍ଷୀୟା ମହିଳା ଖସିପଡ଼ିଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାକୁ ମିଶାଇ ରୋପ୍‌ଓ୍ବେ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ଏଡିଜିପି ଆର୍‌. କେ. ମଲ୍ଲିକ କହିଛନ୍ତି।
ସନ୍ଧ୍ୟାରେ ଦୁଇଟି କେବୁଲ୍‌-କାର୍‌ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଯୋଗୁ ରୋପ୍‌ଓ୍ବେ ଅଚଳ ହେବା ହୋଇଯିବାରୁ ସେଠାରେ ୪୮ ଜଣ ଯାତ୍ରୀ ପ୍ରାୟ ୪୦୦ ମିଟର ଉଚ୍ଚରେ ଫସି ରହିଥିଲେ। ଏନ୍‌ଡିଆର୍‌ଏଫ୍‌, ଆଇଟିବିପି ଯବାନଙ୍କ ସମେତ ବାୟୁସେନାର ଏମ୍‌ଆଇ-୧୭, ଏମ୍‌ଆଇ-୧୭ ଭି୫ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ କରିଥିଲେ। ସୋମବାର ଉଦ୍ଧାର କାର୍ଯ୍ୟବେଳେ ଜଣେ ବ୍ୟକ୍ତି ହେଲିକପ୍ଟରରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଯାତ୍ରୀ ଜଣକ ଖସିବା ବେଳର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ମଙ୍ଗଳବାର ମଧ୍ୟ ଉକ୍ତ ମହିଳାଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଥିଲା। ହେଲିକପ୍ଟରକୁ ଉଠି ନ ପାରି ମହିଳା ଜଣକ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ୪୦ ଘଣ୍ଟାର ଅପରେଶନରେ ଅନ୍ୟ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମୃତକଙ୍କ ପରିବାରକୁ ସମାବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏଥିସହ ଘଟଣା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଝାଡ଼ଖଣ୍ଡ ପର୍ଯ୍ୟଟନ ବିଭାଗ ସୂଚନା ଅନୁସାରେ ତ୍ରିକୂଟ ରୋପ୍‌ଓ୍ବେର ଦେଶର ଉଚ୍ଚତମ ରୋପ୍‌ଓ୍ବେ, ଯାହାର ଲମ୍ବ ୭୬୬ ମିଟର।

Share