ଗାଁକୁ ନାହିଁ ରାସ୍ତା: ଖଟରେ ବୁହା ହେଲେ ରୋଗୀ

ଅନୁପପୁର,୧୩।୮: ଗରିବ ଲୋକଙ୍କ ପାଇଁ ଓ ଗାଁଗୁଡ଼ିକୁ ବିକଶିତ କରିବା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି। ଏନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ହେଲେ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ସେଥିପ୍ରତି କାହାରି ନିଘା ନାହିଁ। ସ୍ବାଧିନତାର ଏତେ ବର୍ଷ ପରେ ବି ଏଭଳି କେତେଗୁଡ଼ିଏ ଗାଁ ରହିଛି ଯେଉଁଠାରେ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ। ସୁସ୍ଥ ଲୋକଙ୍କ ଯିବା ଆସିବା ଦୂରରେ ଥାଉ ରୋଗୀଙ୍କୁ ନେବା ଆଣିବାରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ବିଶେଷକରି ବର୍ଷା ଦିନ କଥା ନ କହିଲେ ଭଲ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟପ୍ରଦେଶ ଅନୁପପୁର ଜିଲାରୁ ଆସିଥିବା ଏକ ଦୃଶ୍ୟକୁ ଦେଖିଲେ ସରକାରୀ ଯୋଜନା କିଭଳି ଏଠାରେ ବିଫଳ ହୋଇଛି ତାହାର ଜ୍ୱଳନ୍ତ ଉଦାହରଣ ନଜର ଆସିଛି।

ଅନୁପପୁର ଜିଲାର ଡୋଙ୍ଗରା ପଞ୍ଚାୟତରେ ଜଣେ ମହିଳା ହୃଦ ରୋଗରେ ପୀଡ଼ିତ ଥିବା ବେଳେ ସୋମବାର ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନେବାପାଇଁ ପୁଅ ସୋମଲାଲ ଯାଦବ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବା ଜାଣି ସେ ନିଜେ ହସ୍ପିଟାଲ ନେବାକୁ ସ୍ଥିର କରିଥିଲେ। ଗାଁରୁ ମୁଖ୍ୟ ରାସ୍ତା ମାତ୍ର ୨ କିଲୋମିଟର ଦୂରତା। କିନ୍ତୁ ଗାଁରେ ଭଲ ରାସ୍ତା ନ ଥିବା ବେଳେ ଗତ କିଛି ଦିନରୁ ଲଗାତାର ବର୍ଷା ଯୋଗୁ ସବୁ ସ୍ଥାନରେ ପାଣି ଜମାହୋଇ ରହିଛି। ଏଭଳି ସ୍ଥିତିରେ ମୁଖ୍ୟ ରାସ୍ତାକୁ ଯିବା ପାଇଁ ପୁଅ ସୋମଲାଲ ଓ ସ୍ବାମୀ ହେମଲାଲ ଉକ୍ତ ରୋଗୀ ମହିଳାକୁ ଖଟରେ ବୋହି ହସ୍ପିଟାଲକୁ ନେଇଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବେ ସରକାରୀ ଅଧିକାରୀଙ୍କ ଉପରେ ଚଡ଼କ ପଡ଼ିଛି।

Share