Categories: ଜାତୀୟ

ଲିଭ୍‌-ଇନ୍‌ରେ ରହିଲେ ବଳାତ୍କାର ମାମଲା କରିପାରିବେନି ମହିଳା

ନୂଆଦିଲ୍ଲୀ, ୧୬ା୭: ନିଜ ଇଚ୍ଛାରେ କୌଣସି ପୁରୁଷଙ୍କ ସହ ଲିଭ୍‌-ଇନ୍‌ ରିଲେଶନରେ ରହି ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସମ୍ପୃକ୍ତା ମହିଳା ତାଙ୍କ ବିରୋଧରେ ବଳାତ୍କାର ମାମଲା କରିପାରିବେ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଅଭିଯୁକ୍ତ ଯୁବକଙ୍କୁ ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ୍‌ ବିକ୍ରମ ନାଥଙ୍କ ଖଣ୍ଡପୀଠ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ମାମଲା ଅନୁଯାୟୀ, ଜଣେ ଯୁବତୀ ଅନ୍‌ସାର ମହମ୍ମଦ ନାମକ ଜଣେ ଯୁବକଙ୍କ ସହ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହୁଥିଲେ। ସେହି ସମୟରେ ଯୁବତୀଙ୍କୁ ୨୧ ବର୍ଷ ହୋଇଥିଲା। ୪ ବର୍ଷ ଏକାଠି ରହିବା ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ପରେ ଯୁବତୀ ଜଣକ ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଗିରଫଦାରିରୁ ବର୍ତ୍ତିବା ପାଇଁ ଆଗୁଆ ଜାମିନ ନିମନ୍ତେ ଅନ୍‌ସାର ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ତାଙ୍କ ଜାମିନ ଆବଦେନ ଖାରଜ କରିଥିଲେ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନ୍‌ସାର ସୁପ୍ରିମକୋର୍ଟ ଯାଇଥିଲେ।

Share