ବସ୍ ଅପେକ୍ଷାରେ ଥିବା ବେଳେ ମହିଳାଙ୍କୁ ବଳାତ୍କାର ଉଦ୍ୟମ-ମରଣାନ୍ତକ ଆକ୍ରମଣ; ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା…

ଦିଗପହଣ୍ଡି, ,୨୯|୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଜଣେ ୫୩ ବର୍ଷୀୟା ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଓ ତାଙ୍କ ନାବାଳକ ପୁଅକୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦିଗପହଣ୍ଡି ଥାନା ଅତିରିକ୍ତ ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ କୃଷ୍ଣମୟୀ ବରାଳ ସାହାଣୀ ସାହିର ଅଭିଯୁକ୍ତ କେଦାର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ-ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ କେ.ନୂଆଗାଁ ଥାନା ଖମାରିଗାଁ ପଞ୍ଚାୟତ ଅଞ୍ଚଳର ଜଣେ ମହିଳା ନିଜର ଦୁଇ ନାବାଳକ ପୁଅଙ୍କ ସହ ବ୍ରହ୍ମପୁରରୁ ବସ୍ ଯୋଗେ ଦିଗପହଣ୍ଡି ଫେରିଥିଲେ। ସେଠାରୁ ନିଜ ଗାଁକୁ ଯିବା ପାଇଁ ସେମାନେ ଅନ୍ୟ ଏକ ବସ୍‌କୁ ଅପେକ୍ଷା କରିଥିଲେ। ବସ୍ ଆସିବାରେ ବିଳମ୍ବ ହେବାରୁ ମହିଳା ଜଣକ ପରିଶ୍ରା ପାଇଁ ରାସ୍ତାକଡ଼ର ଏକ ଅନ୍ଧାରୁଆ ସ୍ଥାନକୁ ଯାଇଥିଲେ।

ସେହି ସ୍ଥାନରେ ସାହାଣୀ ସାହିର ଶିବ ଦାସ ଏବଂ କେଦାର ଦାସ ପୂର୍ବରୁ ବସିଥିଲେ। ମହିଳାଙ୍କୁ ଏକୁଟିଆ ଦେଖି କେଦାର ତାଙ୍କୁ ଟଣାଓଟରା କରି ତଳେ ପକାଇ ଦେବା ସହ ଅସଦାଚରଣ ଉଦ୍ୟମ କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ବଡ଼ପୁଅ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଏହି ସମୟରେ ଶିବ ଦାସ ହାତରେ ପିନ୍ଧିଥିବା ଲୁହା ବଳା (କଡ଼ା) ରେ ନାବାଳକଙ୍କ ମୁଣ୍ଡକୁ ଆଘାତ କରିବାରୁ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ମହିଳା ଜଣକ ଶିବଙ୍କୁ ଭିଡ଼ି ଧରିବାରୁ ସେ ଲୁହା ବଳାରେ ମହିଳାଙ୍କ ଡାହାଣ ହାତକୁ ଆକ୍ରମଣ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ପାଟି ଶୁଣି ସ୍ଥାନୀୟ କିଛି ଲୋକ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଉଭୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ରକ୍ତାକ୍ତ ଅବସ୍ଥାରେ ମାଆ ଓ ପୁଅଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ମହିଳା ଜଣକ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଥାନା ମାମଲା ନଂ. ୪୯୨/୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।</p

Dharitri – Odisha’s No.1 Odia Daily

Share