ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ଏକ ମାମଲାର ଚୂଡ଼ାନ୍ତ ରିପୋର୍ଟ (Final Report) ଦାଖଲ କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ASI ସୀତା ନାୟକ ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ଏନେଇ ଭିଜିଲାନ୍ସ ବିଭାଗକୁ ଜଣାଇବା ପରେ ଏକ ସ୍ୱତନ୍ତ୍ର ଟ୍ରାପ୍ ପୂର୍ବ ଯୋଜନା କରି ତାଙ୍କୁ ଧରିଥିଲେ।
ପୂର୍ବ ଯୋଜନା ଅନୁଯାୟୀ, ଅଭିଯୋଗକାରୀ ASI ସୀତା ନାୟକଙ୍କୁ ୮ ହଜାର ଟଙ୍କା ଲାଞ୍ଚ ପ୍ରଦାନ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ASIଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ତଲାସି ଜାରି ରହିଥିବା ଜଣାପଡ଼ିଛି। ଏହି ଘଟଣାରେ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ପୋଲିସ ବିଭାଗର ଜଣେ ଅଧିକାରୀ ଲାଞ୍ଚ ନେବା ବେଳେ ଧରାପଡ଼ିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଜିଲାନ୍ସ ପକ୍ଷରୁ ମାମଲାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।