Categories: ଅପରାଧ

ବାନ୍ଧବୀଙ୍କ ଘରୁ ୫୭ ଲକ୍ଷ ଟଙ୍କା ଚୋରି କରିନେଇଥିବା ମହିଳା ଗିରଫ

ନୂଆଦିଲ୍ଲୀ, ୪।୭- ବାନ୍ଧବୀଙ୍କ ଘରୁ ୫୭ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗରେ ଜଣେ ୩୬ ବର୍ଷୀୟା ମହିଳାଙ୍କୁ ଦିଲ୍ଲୀ ହଜ୍‌ କାଜ୍‌ ଥାନା ପୋଲିସ ଗିରଫ କରିଛି। ଏଥିସହ ଏହି ଚୋରି ଟଙ୍କାରେ ଘର କିଣିଥିବା ମହିଳାଙ୍କ ଦୁଇ ଭାଇଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ପ୍ରତାପ ନଗରରେ ରହୁଥିବା ପୂଜାଙ୍କର ଜଣେ ବାନ୍ଧବୀ ମଧ୍ୟଦିଲ୍ଲୀର ସୀତାରାମ ବଜାରରେ ରୁହନ୍ତି। ପୂଜା ଅଧିକାଂଶ ସମୟ ବାନ୍ଧବୀଙ୍କ ଘରକୁ ଯିବା ଆସିବା କରନ୍ତି। ଏହାରି ମଧ୍ୟରେ ପୂଜା ତାଙ୍କ ବାନ୍ଧବୀଙ୍କ ମା’ ପୁଷ୍ପାଙ୍କ ସହିତ ସମ୍ପର୍କ ବଢ଼ାଇ ବିଭିନ୍ନ କାମରେ ତାଙ୍କୁ ସହାୟତା କରନ୍ତି। ପୁଷ୍ପାଙ୍କ ସହ ଘନିଷ୍ଠ ହୋଇ ତାଙ୍କ ଘରେ ଏକ ଜମି ବିକ୍ରି ବାବଦକୁ ମିଳିଥିବା ୮୦ ଲକ୍ଷ ଟଙ୍କା ରହିଥିବା ପୂଜା ଜାଣିବାକୁ ପାଆନ୍ତି। ଏହି ଟଙ୍କାରୁ ପୂଜା କୌଶଳକ୍ରମେ ୫୭ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲେ। ପ୍ରଥମେ ୨୭ ଲକ୍ଷ ଓ ପରେ ୩୦ ଲକ୍ଷ ଏହିଭଳି ଭାବେ ପର୍ଯ୍ୟାୟକ୍ରମେ ପୂଜା ୨ଥରରେ ଏହି ଟଙ୍କା ଚୋରି କରିଥିଲେ। ଟଙ୍କା ଚୋରି ହୋଇଥିବା ପୁଷ୍ପା ଜାଣିବା ପରେ ପୋଲିସରେ ଏତଲା ଦେଇଥିଲେ। ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ପୂଜା ଏହି ଟଙ୍କା ଚୋରି କରିଥିବା ପୋଲିସ ଜାଣିବାକୁ ପାଇଲା। ପଚରାଉଚରା ପରେ ମଧ୍ୟ ଟଙ୍କା ଚୋରି କରିଥିବା ନେଇ ପୂଜା ସତ ମାନିଯାଇଥିଲା। ଏହି ଟଙ୍କାରେ ସେ ତାଙ୍କ ୨ ଭାଇଙ୍କୁ ଘର କିଣିବା ପାଇଁ ୨୨ ଲକ୍ଷ ଟଙ୍କା ସହୟତା କରିଥିବା ସ୍ବୀକାର କରିଥିଲା। ପୋଲିସ ପୂଜା ନିକଟରୁ ନଗଦ ୨୯ ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଛି।