ଲେଡି ଡନ୍‌ ପୂଜା ସାଇନି କିଏ? କର୍‌ନି ସେନା ଅଧ୍ୟକ୍ଷ ସୁଖଦେବଙ୍କ ହତ୍ୟା ମାମଲାରେ ହୋଇଛନ୍ତି ଗିରଫ, ଜାଣନ୍ତୁ…

ଜୟପୁର,୧୨।୧୨: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କର୍‌ନି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗମେଦିଙ୍କୁ ଘରେ ପଶି ଗୁଳି କରି ହତ୍ୟା କରିବା ମାମଲାରେ ମଙ୍ଗଳବାର ପୋଲିସ ପୂଜା ସାଇନି ନାମକ ମହିଳାଙ୍କୁ ଗିରଫ କରିଛି। ଏହି ଲେଡି ଡନ୍‌ଙ୍କ ଘରେ ଶୁଟ୍‌ର ନୀତିନ ଫୌଜି ଲୁଚି ରହିଥିଲେ। ଏଣୁ ତାଙ୍କ ଗୋଚରରେ ଅଭିଯୁକ୍ତମାନେ ଏହି ଜଘନ୍ୟ କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଅଭିଯୋଗ ହେଉଛି।

ସାଇନି ମୂଳତଃ କୋଟାର ବାସିନ୍ଦା। ତାଙ୍କ ସ୍ବାମୀ ମହେନ୍ଦ୍ର କୁମାର ମୋଘଓ୍ବାଲ ଓରଫ ସମୀର ସହରର ଜଣେ ହିଷ୍ଟ୍ରିସିଟର। ତାଙ୍କ ନାମରେ ମାରପିଟ୍‌, ହତ୍ୟା ଏବଂ ଅବୈଧ ଭାବେ ହତିଆର ଚାଲାଣ କରିବାର ଅନେକ ମାମଲା ରୁଜୁ ହୋଇଛି। ଦୀର୍ଘ ଦେଢ଼ ବର୍ଷ ଧରି ପୂଜା ଏବଂ ମହେନ୍ଦ୍ର ଜୟପୁରର ଜଗତପୁରାରେ ଏକ ଫ୍ଲାଟ ଭଡ଼ାରେ ନେଇ ରହୁଥିଲେ। ପୂଜା ସାଇନି ନୁହନ୍ତି ବରଂ ନିଜ ନାମ ପୂଜା ବତ୍ରା କହି ସେ ଜୟପୁରରେ ରହୁଥିଲେ। ନଭେମ୍ବର ୨୮ରେ ଶୁଟର ନୀତିନ ଦିଲ୍ଲୀରୁ ଜୟପୁର ଯାଇଥିଲେ। ସେଠାରେ ପ୍ରତାପ ନଗର ଛକରେ ପହଞ୍ଚିବା ପରେ ମହେନ୍ଦ୍ର ଏବଂ ପୂଜା ତାଙ୍କୁ ନିଜ କାର୍‌ରେ ବସାଇଥିଲେ। ସେଠାରୁ ତାଙ୍କୁ ନିଜ ଫ୍ଲାଟକୁ ନେଇ ଯାଇଥିଲେ। ଦୀର୍ଘ ୭ ଦିନ ଧରି ଅଭିଯୁକ୍ତଜଣଙ୍କ ସେଠାରେ ହିଁ ଥିଲେ।

ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ପୂଜାଙ୍କ ସ୍ବାମୀ ମହେନ୍ଦ୍ର ଅବୈଧ ହତିଆରର ବଡ଼ ଚାଲାଣକାରୀ। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଲାଗି କାମ କରନ୍ତି। ୭ ଦିନ ରହିବା ସମୟରେ ମହେନ୍ଦ୍ର ନିଜ ମୋବାଇଲରୁ ରୋହିତ ଗୌଦାରା ଏବଂ ବିରେନ୍ଦ୍ର ଚାରଣଙ୍କ ସହ ନୀତିନଙ୍କ କଥା କରାଇଥିଲେ। ଡିସେମ୍ବର ୫ ସକାଳେ ନୀତିନଙ୍କୁ ସେ ଦୁଇଟି ବନ୍ଧୁକ ଏବଂ ଦୁଇଟି ମାଗାଜିନ ଦେଇଥିଲେ। ଏଥିସହ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ହତ୍ୟାକାଣ୍ଡ ଦିନ ମହେନ୍ଦ୍ର ନିଜ କାର୍‌ରେ ଶୁଟର୍‌ ନୀତିନଙ୍କୁ ଡିସିଏମ୍‌ ଯାଏ ନେଇଥିଲେ। ସେଠାରେ ରୋହିତ ପୂର୍ବରୁ ଛିଡ଼ା ହୋଇଥିଲେ। ପରେ ରୋହିତଙ୍କୁ ମନ୍ଦ୍ରେ ଏକ ବନ୍ଧୁକ ଏବଂ ମାଗାଜିନ ଦେଇଥିଲେ। ଏପରିକି ତାଙ୍କୁ ମଧ୍ୟ ୫୦ ହଜାର ଟଙ୍କା ନୋଟବିଡ଼ା ଦେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସୁଖଦେବ ଘରେ ଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ନବୀନ ଶେଖାଓ୍ବତ ଥିଲା। ତେବେ ପାଲଟା ଗୁଳି ଚାଳନାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା। ଅଭିଯୁକ୍ତମାନେ ସୁଖଦେବଙ୍କୁ ୧୭ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ସେମାନେ ବନ୍ଧୁକ ଲୁଚାଇ ଦେଇଥିଲେ। ରାସ୍ତାରେ ତାଙ୍କ ପାଖରେ କେବଳ ଟଙ୍କା ଏବଂ ମୋବାଇଲ ଥିଲା। ଏହାଦ୍ୱାରା କେହି ତାଙ୍କୁ ସନ୍ଦେହ କରିବେ ନାହିଁ ବୋଲି ସେମାନେ ଭାବିଥିଲେ।

Share