Categories: ଜାତୀୟ

୧୩୯ ଜଣଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣିଲେ ଜଣେ ମହିଳା

ହାଇଦ୍ରାବାଦ,୨୨।୮: ଗତ କିଛି ବର୍ଷ ହେବ ଜଣେ ମହିଳାଙ୍କୁ ୧୩୯ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୋଲିସ ଏହି ଅଭିଯୋଗ ପାଇ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି। ମହିଳାଙ୍କ ସୂଚନା ଅନୁଯାୟୀ, ତାଙ୍କ ବିବାହର ମାତ୍ର ବର୍ଷକ ପରେ ୨୦୧୦ରେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। ଏବେ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି କି ତାଙ୍କ ପୂର୍ବତନ ସ୍ବାମୀ ଓ ସ୍ବାମୀଙ୍କର କେତେଜଣ ସମ୍ପର୍କୀୟ ତାଙ୍କୁ ବଳାତ୍କାର କରିଛନ୍ତି। ଏହି ଅଭିଯୋଗ ପରେ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ପୁଞ୍ଜାଗୁଟ୍ଟା ଥାନାର ଅଧିକାରୀ କହିଛନ୍ତି ମହିଳାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚାଲିଛି। ତେବେ ବଳାତ୍କାରୀମାନେ ତାଙ୍କୁ ଧମକାଇବାରୁ ସେ ଦୀର୍ଘଦିନ ପର୍ଯ୍ୟନ୍ତ ଅଭିଯୋଗ କରିପାରି ନ ଥିବା କହିଛନ୍ତି। ବଳାତ୍କାର କରିବା ସମୟରେ ମହିଳାଙ୍କ ଫଟୋ ଓ ଭିଡିଓ ପ୍ରସ୍ତୁତ କରାଯାଇ ପରେ ତାଙ୍କୁ ବ୍ଲାକମେଲ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ତାଙ୍କୁ ବାରମ୍ବାର ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଦେଉଥିବାରୁ ସେ ଡରିଯାଇ ଅଭିଯୋଗ କରି ନ ଥିବା ପ୍ରକାଶ କରିଛନ୍ତି।

Share