୩ ଥର ଗର୍ଭପାତ, ୩୫ ଲକ୍ଷ ଟଙ୍କା ଠକେଇ! ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ନିଜ ପୁରୁଷ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ, ତିନି ଥର ଗର୍ଭପାତ କରାଇବାକୁ ବାଧ୍ୟ କରିବା ଏବଂ ୩୫ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ମହିଳା ଜଣକ ପୋଲିସରେ ଅଭିଯୋଗ କରିଛନ୍ତି । ଏହାସହ ତାଙ୍କ ବ୍ୟକ୍ତିଗତ ଫଟୋ ଭାଇରାଲ୍‌ କରିବାକୁ ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ୨୦ ନଭେମ୍ବର ୨୦୨୬ରେ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ଅନୁସାରେ, ମହିଳା ଜଣକ ମୂଳତଃ ହରିୟାଣାର ଭିୱାନୀ ଅଞ୍ଚଳର । ବର୍ତ୍ତମାନ ସେ ଗୁରୁଗ୍ରାମର ସେକ୍ଟର-୯ରେ ଭଡ଼ା ଘରେ ରହୁଛନ୍ତି । ୨୦୨୩ ନଭେମ୍ବରରୁ ସେକ୍ଟର-୧୫ର ଏକ ଘରୋଇ ବ୍ୟାଙ୍କରେ କାମ କରୁଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ୨୦୨୫ରେ ସେହି ବ୍ୟାଙ୍କରେ କାମ କରୁଥିବା ଜଣେ ସହକର୍ମୀଙ୍କ ସହ ତାଙ୍କର ଘନିଷ୍ଠତା ବଢ଼ିଥିଲା। ପରେ ଉଭୟ ଲିଭ୍‌-ଇନ୍‌ ସମ୍ପର୍କରେ ରହିଥିଲେ । ଏହି ସମୟରେ ଅଭିଯୁକ୍ତ ନିଜେ ପୂର୍ବରୁ ବିବାହିତ ବୋଲି କହିଥିଲେ ମଧ୍ୟ ୨୦୧୮ରୁ ଚାଲିଥିବା ଛାଡ଼ପତ୍ର ପ୍ରକ୍ରିୟା ଶୀଘ୍ର ଶେଷ ହେବ ବୋଲି ମହିଳାଙ୍କୁ କହିଥିବା ଅଭିଯୋଗ ହୋଇଛି।

ଏଫ୍‌ଆଇଆର୍‌ ଅନୁସାରେ, ୨୦୨୫ ଜୁଲାଇ ୧୪ରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କୁ ଗର୍ଭପାତ ପାଇଁ ଔଷଧ ଦେଇଥିଲେ। ଏହାପରେ ୨୦୨୫ ଅଗଷ୍ଟ ଓ ଡିସେମ୍ବରରେ ମଧ୍ୟ ଗର୍ଭପାତ କରାଇବାକୁ ବାଧ୍ୟ କରିଥିବା ମହିଳା ଅଭିଯୋଗ କରିଛନ୍ତି । ସେହିପରି ସମ୍ପର୍କ ସମୟରେ ଅଭିଯୁକ୍ତ ତାଙ୍କଠାରୁ ଠକି ୩୫ ଲକ୍ଷ ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହୋଇଛି। ମହିଳା ଜଣକ ୨୦୨୬ ଫେବ୍ରୁଆରୀ ୪ରେ ଭିୱାନୀର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ପୂର୍ବତନ ଲିଭ୍‌-ଇନ୍‌ ସାଥୀ ବ୍ୟକ୍ତିଗତ ଫଟୋ ଭାଇରାଲ୍‌ କରିବାକୁ ଧମକ ଦେଇଥିବାରୁ ସେ ବାଧ୍ୟ ହୋଇ ବିବାହ ବନ୍ଧନ ଭାଙ୍ଗିଥିଲେ ଏବଂ ପୁଣି ଗୁରୁଗ୍ରାମ ଫେରି ଅଭିଯୁକ୍ତଙ୍କ ସହ ରହିବାକୁ ଲାଗିଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ମହିଳାଙ୍କ ଅଭିଯୋଗ ଅନୁସାରେ, ୨୦୨୬ ଅଗଷ୍ଟ ୩୦ରେ ସେ ପୁଣି ଗର୍ଭବତୀ ହୋଇଥିଲେ। ହେଲେ ଏହାପରେ ଅଭିଯୁକ୍ତ ତାଙ୍କ ଫୋନ୍‌ ନମ୍ବର ବ୍ଲକ୍‌ କରି କେଉଁଆଡ଼େ ଚାଲିଯାଇଥିଲେ । ଏନେଇ ମହିଳାଙ୍କ ଅଭିଯୋଗ ପରେ ପୋଲିସ ଏଫ୍‌ଆଇଆର୍‌ ରୁଜୁ କରିଛି ।

 

Dharitri – Odisha’s No.1 Odia Daily

Share