ଯୌତୁକ ପାଇଁ ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଘରୁ ସ୍ବାମୀଙ୍କୁ ଉଠାଇନେଇ ପୋଲିସ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମର ସେ.କୁରେଶୁ ରେଡ୍ଡୀଙ୍କ ଝିଅ କେ. ଭାରତୀ ରେଡ୍ଡୀ ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ରେଡ୍ଡୀ ସାହିର ସ୍ବର୍ଗତ କେ.ସାହେବ ରେଡ୍ଡୀଙ୍କ ପୁଅ କେ. ସନ୍ତୋଷ ରେଡ୍ଡୀଙ୍କୁ ଗତ ୨୦୧୮ ଫେବୃଆରୀ ୨୧ରେ ବିବାହ କରିଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ନଗଦ ୧ ଲକ୍ଷ ୧୫ ହଜାର ଟଙ୍କା,୫ ଗ୍ରାମ ଓଜନର ସୁନା ମୁଦି, ସମସ୍ତ ଆସବାବ ପତ୍ର ଏବଂ ଝିଅ ଭାରତୀଙ୍କୁ ୨୫ ଗ୍ରାମ ଓଜନର ସୁନା ନେକ୍ଲେସ ହାର,୫ ଗ୍ରାମ ଓଜନର ସୁନା କାନ ଫୁଲ ଦିଆଯାଇଥିଲା। ଗତ ୨୦୧୮ ଜୁଲାଇ ୧୩ରେ ସ୍ବାମୀ ସନ୍ତୋଷ ଭାରତୀଙ୍କ ବେକରୁ ସୁନା ନେକ୍ଲେସ ହାରକୁ ଜବରଦସ୍ତ ଛଡାଇ ନେଇ ସୁନା ଗହଣା ରଖି ଋଣ ଦେଉଥିବା ଦିଗପହଣ୍ଡିର ଏକ ଘରୋଇ ସଂସ୍ଥାରେ ବନ୍ଧକ ରଖି ୪୯,୫୦୦ ଟଙ୍କା ଆଣିଥିଲେ। କିଛିଦିନ ପରେ ଭାରତୀଙ୍କ ସୁନା କାନଫୁଲକୁ ସନ୍ତୋଷ ନେଇ ବିକ୍ରି କରିଦେଇଥିଲେ। ଏନେଇ ଭାରତୀ ସ୍ବାମୀଙ୍କୁ ପଚାରିବାରୁ ଗତ ୨୦୨୫ ଜୁନ ୬ ପୂର୍ବାହ୍ନ ପ୍ରାୟ ୧୧ଟାରେ ତାଙ୍କୁ ଘର ଭିତରେ ଟଣାଓଟରା କରି ନିସ୍ତୁକ ମାଡ଼ ମାରିଥିଲେ। ବାପ ଘରୁ ଅଧିକା ୧,୭୦୦୦୦ ଟଙ୍କା ଯୌତୁକ ଆଣିବାକୁ ଭାରତୀଙ୍କୁ ବାଧ୍ୟ କରିଥିଲେ। ସମସ୍ତ ଘଟଣା ବାପା ମା’ଙ୍କୁ ଜଣାଇବାରୁ ସେମାନେ ପାଟପୁରରେ ପହଞ୍ଚି ଭାରତୀଙ୍କୁ କାଣ୍ଡସର ଗାଁ ୟକୁ ନେଇ ଆସିଥିଲେ। ଭାରତୀଙ୍କ ପରିବାର ଲୋକେ ନ୍ୟାୟ ପାଇଁ କୁଳସଭା ଡକାଇଥିଲେ ମଧ୍ୟ ସ୍ବାମୀ କିମ୍ବା ଶ୍ବଶୁର ଘର ପରିବାର ଲୋକେ କେହି ଆସିନଥିଲେ। ବାପ ଘରେ ମାନସିକ ଚାପରେ ରହୁଥିବା ଭାରତୀ ଉପାୟ ନପାଇ ଗତ ୧୮ରେ ପରିବାର ଲୋକଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୦୧/୨୬ ଭାରତୀୟ ନ୍ୟାୟ ସଂହିତାର ଦଫା -୮୫/୧୧୫(୨)/୩୫୧(୨)/୩(୫) ଏବଂ ଯୌତୁକ ନିରୋଧ ଆଇନର ଧାରା – ୪ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ନାଁରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ଝୁନୁ ମାଝୀ ବୁଧବାର ଅଭିଯୁକ୍ତ ସ୍ବାମୀଙ୍କ ଘରେ ପହଞ୍ଚି ତଦନ୍ତ କରିବା ସହ ଥାନାକୁ ଉଠାଇ ଆଣି ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା – ୩୫(୩) ଅନୁଯାୟୀ ତାଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍‌ ଦେଇ ଛାଡିଥିବା ଜଣାପଡ଼ିଛି।

Odisha’s No.1 Odia Daily