ଗାଧୋଇବାକୁ ଯାଇ ଖରସ୍ରୋତାରେ ବୁଡ଼ିଗଲେ ୨ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

ରସୁଲପୁର,୨୫।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଚିନ୍ତାପଲୀ ଗାଁ ନିକଟରେ ଖରସ୍ରୋତା ନଦୀରେ ଗୁରୁବାର ଅଘଟଣ ଘଟିଛି। ନଦୀକୁ ଗାଧୋଇ ଯାଇଥିବା ୨ ଭାଇ ବୁଡ଼ି ଯାଇଛନ୍ତି। ମୃତ ଦୁଇଭାଇ ସ୍ଥାନୀୟ ଯାଜପୁର ବ୍ଲକ ବେରୁଦା ପଞ୍ଚାଯତ ଚିନ୍ତାପଲୀ ଗ୍ରାମର କାହ୍ନୁ ଚରଣ ଚନ୍ଦଙ୍କ ବଡ଼ପୁଅ ଦୀନବନ୍ଧୁ ଚନ୍ଦ(୧୮) ଓ ସାନପୁଅ ଦିବାକର ଚନ୍ଦ(୧୫)ବୋଲି ଜଣାପଡ଼ିଛି। ଦୀନବନ୍ଧୁ ମଧୁବନ କଲେଜରେ ଯୁକ୍ତ ୨ ରେ ପଢୁଥିବା ବେଳେ ସାନପୁଅ ଗିରିଧାରୀ ପାର୍ବତୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଥିଲେ। ଖବର ପାଇ କୁଆଖିଆ ଅଗ୍ନିଶମ ବାହିନୀ ଦୀନବନ୍ଧୁଙ୍କୁ ଉଦ୍ଧାର କରିଥିବା ବେଳେ ଦିବାକରଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ମଧୁବନ ମେଡିକାଲରେ ଦିବାକରଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଦୀନବନ୍ଧୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କରାଯାଇଛି। କୁଆଖିଆ ପୋଲିସ ମୃତଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଦୁଃଖଦ ଖବରକୁ ନେଇ କାନ୍ଦବୋବାଳିରେ ଗାଁ ଫାଟିପଡୁଛି।